ମାଲକାନଗିରି, ୧୦ ଅକ୍ଟୋବର – ସିକ୍କିମ୍ ବନ୍ୟାରେ ଏବେବି ନିଖୋଜ କାଲିମେଳା ଅଞ୍ଚଳର ଜଣେ ଯୁବ ଓଡ଼ିଆ ଇଞ୍ଜିନିୟର । ସପ୍ତାହେ ହେବ ନିଖୋଜ ଥିବା ଏହି ଯୁବ ଓଡ଼ିଆ ଇଞ୍ଜିନିୟର ହେଉଛନ୍ତି ଏମଭି-୬୨ ଗାଁର ମିଠୁ ମହାଜନଙ୍କ ପୁଅ କିଶୋର ମହାଜନ । ଗତ ୩ ତାରିଖ ଅପରାହ୍ଣ ଠାରୁ ତାଙ୍କର କୌଣସି ଖୋଜ ଖବର ମିଳୁନଥିବାରୁ ଚିନ୍ତାରେ ଏବେ ପୁରା ପରିବାର ।
କିଶୋର ହାଇଦ୍ରାବାଦର ଗ୍ରୀନ ଲାଇନ ସୋଲାର ଏନର୍ଜି ନାମକ ଏକ କମ୍ପାନୀରେ ପ୍ରୋଜେକ୍ଟ ଇଞ୍ଜିନିୟର ଭାବେ ଚାକିରି କରୁଥିଲେ । ଗତ ଏକ ମାସ ହେଲା କମ୍ପାନୀ କାମରେ ସିକ୍କିମ୍ ଯାଇଥିଲେ । ସିକ୍କିମର ଲୋଚନ ଘାଟିରେ ଥିବା ଆଇଟିବିପି ଯବାନଙ୍କ କ୍ୟାମ୍ପରେ ରହିଥିବା ପରିବାରକୁ ଜଣାଇଥିଲେ କିଶୋର । ପରେ ସେଠାରେ ବନ୍ୟା ସ୍ଥିତି ଘଟିଥିବା ଟିଭିରେ ଖବର ଜାଣିବା ପରେ ପୁଅ ପାଖକୁ ଫୋନ କରିଥିଲେ ପରିବାର ଲୋକ। ହେଲେ ଫୋନ୍ ବନ୍ଦ ଥିବାରୁ ଆଜି ପର୍ଯ୍ୟନ୍ତ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ ବୋଲି କହିଛନ୍ତି କିଶୋରଙ୍କ ବାପା। କମ୍ପାନୀକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ସଠିକ୍ ସୂଚନା ଦେଉନଥିବାରୁ ଚିନ୍ତାରେ ଅଛନ୍ତି ପରିବାର ଲୋକ । ଗତକାଲି ମାଲକାନଗିରି ଏସପିଙ୍କୁ ସାକ୍ଷାତ କରି ପୁଅର ନିଖୋଜ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି ବାପା। ଦିନେ ଦୁଇଦିନ ଭିତରେ ଅନୁସନ୍ଧାନ କରି ନିଖୋଜ ଯୁବ ଇଞ୍ଜିନିୟରଙ୍କ ସମ୍ପର୍କରେ ଖବର ଦେବେ ବୋଲି ଏସପି ପ୍ରତିଶ୍ରୁତି ଦେଇଥିବାର କହିଛନ୍ତି ବାପା ମିଠୁ ମହାଜନ ।