ମାଲକାନଗିରି, ୩୧ ଅଗଷ୍ଟ – ଲୋକେ ଆଉ ପୋଲିସ କି ଆଇନ୍ କାନୁନକୁ ସତେ ଯେମିତି ଭୟ ହିଁ କରୁ ନାହାନ୍ତି। କୌଣସି ଘଟଣା ଘଟିଲେ ତା’ର ପ୍ରତିଶୋଧ ନେବାକୁ ଯାଇ ଆଇନକୁ ହାତକୁ ନେଉଛନ୍ତି । ଯାହାର ଏକ ଉଦାହରଣ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଥାନା ଅନ୍ତର୍ଗତ ଚିନ୍ତଲବାଡା ପଞ୍ଚାୟତ ମାଝୀଗୁଡା ଗ୍ରାମରେ ଦେଖିବାକୁ ମିଳିଛି। ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେବା ସହ ଶେଷରେ ଗଛରେ ଟାଙ୍ଗି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ।ମୃତକ ହେଲେ ଦେବା ମାଡକାମୀ। ଦେବା ନିଜ ପଡୋଶୀ ମନି ମାଢି ନାମକ ଜଣେ ମହିଳାଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ। ଖବର ପାଇ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଦେବାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଆଉ ତାର ମୃତ୍ୟୁ ପରେ ଶବକୁ ଗାଁ ମୁଣ୍ଡ ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ନାକ ତଳ କଟି ଯାଇ ଗୁରତର ହେବାରୁ ପରିବାର ଲୋକେ କାଲିମେଳା ମେଡିକାଲରେ ଭର୍ତ୍ତି କରିଛନ୍ତି। ଅନ୍ୟପକ୍ଷରେ, ପୋଲିସ ଗାଁରେ ପହଞ୍ଚି ତଦନ୍ତ କରିବା ସହ ୪ ଜଣଙ୍କୁ ଥାନାକୁ ଆଣି ଅଟକ ରଖି ପଚରା ଉଚରା ଚଳାଇଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଦେବା ଏଥି ପୂର୍ବରୁ ଗାଁ ର ଅନେକ ମହିଳାଙ୍କ ସହ ଖରାପ ଆଚରଣ କରୁଥିଲା।