ଭୁବନେଶ୍ୱର : ଅନୁଗୁଳର ପୂର୍ବତନ ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛି ରାଜ୍ୟ ବିଜେପି । ଗୁରୁବାର ରାଜ୍ୟ ବିଜେପି ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ଟିମ୍ କମିଶନଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି । ଖୁବ୍ ଶୀଘ୍ର ଜାତୀୟ ମାନବାଧିକାର କମିଶନର ଏକ ଟିମ୍ ଓଡିଶା ଆସିବ ବୋଲି ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ଅନୁଗୁଳ ଡିଆଇଜି ବ୍ରିଜେଶ ରାୟଙ୍କ ଘରେ କାର୍ଯ୍ୟ କରୁଥିବା ମହିଳା ହୋମଗାର୍ଡ ସୈରିନ୍ଦ୍ରୀ ସାହୁ ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏଥିରେ ତାଙ୍କର ଦୁଇଟି ଗୋଡ କଟିଯାଇଥିବା ବେଳେ ସେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନରେ ଏକ ମାମଲା ରୁଜୁ ହୋଇଥିବା ବେଳେ ରାଜ୍ୟ ମାନବାଧିକାର କମିସନ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ରିପୋର୍ଟ ତଲବ କରିଛନ୍ତି । ସେହିପରି ଡିଆଇଜିଙ୍କୁ ପୋଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି ।