ଗଞ୍ଜାମ : ବ୍ରହ୍ମପୁର ଗୋଷାଣି ନୂଆଗାଁ ଥାନା ଅନ୍ତର୍ଗତ ନୀଳକଣ୍ଠ ନଗରରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ଗତକାଲି ରାତି ପ୍ରାୟ ୧୧ଟା ସମୟରେ ସେ ଭୁବନେଶ୍ଵରରୁ ଘରେ ପହଂଚିଥିବା ବେଳେ ଏତିକି ବେଳେ ଘରେ ଛକି ରହିଥିବା ତାଙ୍କ ଡ୍ରାଇଭର ଏକ ଲୁହା କଟର ସାହାଯ୍ୟରେ ତାଙ୍କ ମୁଣ୍ଡକୁ ପଛପଟୁ ପିଟି ପିଟି ହତ୍ୟା କରିଥିଲା । ମୃତ ମହିଳାଙ୍କ ନାମ ସୌଦାମିନୀ ରଥ ଏବଂ ସେ ଶିଶୁକଲ୍ୟାଣ ସମିତିର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ଖବର ପାଇ ଗୋଷାଣି ନୂଆଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । ମୃତ ମହିଳାଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି । ଥାନାରେ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଛି । ମୃତ ମହିଳାଙ୍କ ଗାଡି ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି ପୋଲିସ ।
ଅନ୍ୟପକ୍ଷରେ ସମ୍ପୃକ୍ତ ଡ୍ରାଇଭର ଜଣକ ମହିଳାଙ୍କୁ ହତ୍ୟା କରିଥିବା ନେଇ ଥାନାରେ ସ୍ଵୀକାର କରିଛି ବୋଲି ବ୍ରହ୍ମପୁର ଏସଡିପିଓ ସୂଚନା ଦେଇଛନ୍ତି । ତେବେ ଡ୍ରାଇଭର କାହିଁକି ସୌଦାମିନୀଙ୍କୁ ହତ୍ୟା କଲା ସେ ସମ୍ପର୍କରେ ତଦନ୍ତ ଚାଲିଛି ।