ଭୁବନେଶ୍ୱର : ସ୍ୱାଭିମାନ ଓ ସ୍ୱାବଲମ୍ବନ ବିନା ସମାଜ ଆଗକୁ ଯାଇପାରିବନି । ଅମୃତ କାଳରେ ଓଡ଼ିଶା ଓ ଭାରତବର୍ଷକୁ ବିକଶିତ କରାଇବା ପାଇଁ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା କ୍ରମେ ଡିଜିଟାଲ ଇଣ୍ଡିଆର ଉପଯୋଗ କରିବା ସହ ମହିଳା ଉଦ୍ୟୋଗୀଙ୍କୁ ଏକାଠି କରି ସେମାନଙ୍କର ଦାୟିତ୍ୱ ନେବା ପାଇଁ ପଡିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ୱରରେ ‘ଆମ ଓଡ଼ିଶା’ ତଥା ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା୫୦’ର ତୃତୀୟ ସଂସ୍କରଣ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନ ଏହା କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ରାଜ୍ୟରେ ମହିଳାଙ୍କ ସ୍ୱତନ୍ତ୍ର ସ୍ଥାନ ଅନାଦି ଅନନ୍ତ କାଳରୁ ରହିଛି । ପବିତ୍ର ମାର୍ଗଶୀର ମାସ ଗୁରୁବାରରେ ମାଆ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା, ଘର ସ୍ୱଚ୍ଛ ରଖିବାର ବାର୍ତା ଏବଂ ସମର୍ପଣ ଭାବନା ଓ ଅନ୍ୟମାନଙ୍କୁ ମହାପ୍ରସାଦ ଖୁଇବାର ସଂସ୍କାର ଓ ପରମ୍ପରା ଓଡ଼ିଆ ଜାତି ଓ ସମାଜରେ ପୁରାତନ କାଳରୁ ରହିଛି ।
ଆଜି ସମାଜ ବଦଳୁଛି । ଦୁନିଆ ବଦଳୁଛି । ଦାୟିତ୍ୱ ବହୁତ ବଡ କଥା ନୁହେଁ । ଆଗାମୀ ୨୫ ବର୍ଷରେ ଯେଉଁମାନେ ସତରେ ଓଡ଼ିଶାକୁ ବିକଶିତ କରାଇବେ ସେମାନେ ହେଉଛି ଗ୍ରାମାଂଚଳର ମହିଳାମାନେ । ଏଥିପାଇଁ ସେମାନଙ୍କୁ ସ୍ୱାବଲମ୍ବୀ ଓ ସ୍ୱାଭିମାନୀ କରାଇବା ପାଇଁ ହେବ । ଭାରତ ସରକାର ମଧ୍ୟ ଏଥିରେ ସହଯୋଗୀ ହେବେ । ଏହି ଆୟୋଜନ ନିରନ୍ତର ସଂଗଠନର ରୂପ ହେଉ ।
୨୦୩୬ରେ ଆଉ ପ୍ରାୟ ୧୩ ବର୍ଷ ପରେ ଓଡିଶା ଭାଷାଭିତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ରେ ଆଉ ପ୍ରାୟ ୨୪ ବର୍ଷ ପରେ ଭାରତ ସ୍ୱାଧୀନତା ପୂର୍ତିର ୧୦୦ ବର୍ଷ ପୂରଣ କରିବ । ଓଡ଼ିଶାର ବର୍ତମାନ ଓ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ହେଲେ ଏବେଠାରୁ ଶିଶୁ ଓ ମହିଳା ମାନଙ୍କ ସ୍ୱାସ୍ଥ୍ୟ ଏବଂ ପୋଷଣର ଦାୟିତ୍ୱ ନେବାକୁ ହେବ । ଏଥିପାଇଁ ସମ୍ବାଦ ସମେତ ସମାଜକୁ ସ୍ୱତନ୍ତ୍ର ଯୋଜନା କରିବା ପାଇଁ ହେବ ।
ଆଜିର ଦିନରେ ହ୍ୱାଟ୍ସଆପ୍, ଫେସବୁକ, ୟୁଟ୍ୟୁବ ବିଶ୍ୱର ନୂଆ ନୂଆ ବିଷୟ ଜାଣିବାର ମାଧ୍ୟମ ହୋଇଛି । ଦେଶର ୬ ଲକ୍ଷ ଏବଂ ଓଡ଼ିଶାର ୫୦ ହଜାର ଗାଁରେ ସ୍ପିଡ୍ ଇଣ୍ଟରନେଟ ପାଇଁ ଅପ୍ଲିକାଲ ଫାଇବର ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ କଳ୍ପନା କରିଛନ୍ତି । ଏହାର ଉପଯୋଗ କରି ନିଜର ରୋଷେଇ ପ୍ରାଣାଳୀ କିମ୍ବା ଦକ୍ଷତାକୁ ଡିଜିଟାଲ ପ୍ଲାଟଫର୍ମରେ ଉପଯୋଗ କରିବା ପାଇଁ ମହିଳାଙ୍କୁ ପରାମର୍ଶ ଦେଇଥିଲେ ଶ୍ରୀ ପ୍ରଧାନ । ଏହା ଦ୍ୱାରା ସମାଜ,ରାଜ୍ୟ, ଦେଶ ଲାଭବାନ ହେବ ।ବୋଲି ସେ କହିଥିଲେ ।