ଚମ୍ପୁଆ : ୧୫ ଦଫା ଦାବିନେଇ ସାରା ରାଜ୍ୟରେ ସରପଞ୍ଚ ମାନେ ଧାରଣାରେ ବସିଥିବାବେଳେ ଏହାର ପ୍ରଭାବ ଚମ୍ପୁଆର ପ୍ରତି ପଞ୍ଚାୟତରେ ଦେଖିବାକୁ ମିଳିଛି । ସରପଞ୍ଚ ମାନଙ୍କ ଦାବୀକୁ ସମର୍ଥନ ଜଣାଇ ଆଜି ପ୍ରତି ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଅବସରରେ ହେବାକୁ ଥିବା ଗ୍ରାମ ସଭା ଗୁଡିକୁ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ମାନେ ପ୍ରତ୍ୟାଖାନ କରିଥିବାବେଳେ ବହୁ ପଞ୍ଚାୟତରେ ଏହି ଗ୍ରାମ ସଭା ହୋଇ ପାରି ନ ଥିବା ଜଣା ଯାଇଛି । ଗାନ୍ଧୀ ଜୟନ୍ତୀ ଠାରୁ ପଞ୍ଚାୟତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ପାଇଁ ପ୍ରତି ବର୍ଷ ଗ୍ରାମ ସଭାର ଆୟୋଜନ କରା ଯାଇଥାଏ । ତେବେ ଚଳିତ ବର୍ଷ ସରପଞ୍ଚ ସଂଘ ୧୫ ଦଫା ଦାବୀ ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହେବା ଯୋଗୁଁ ଗତ ୨୨ ତାରିଖରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁ ନ ଥିବାବେଳେ ପଞ୍ଚାୟତର କୌଣସି କାର୍ଯ୍ୟରେ ଭାଗ ନେଉ ନାହାନ୍ତି । ଯାହାକୁ ନେଇ ଆଜି ବ୍ଲକର ୨୨ ଟି ଯାକ ପଞ୍ଚାୟତରେ ହେବାକୁ ଥିବା ଗାନ୍ଧୀ ଜୟନ୍ତୀ ଓ ଗ୍ରାମ ସଭା କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି । ସରପଞ୍ଚ ମାନଙ୍କ ଧାରଣା ଯୋଗୁ ବିଭିନ୍ନ ପଞ୍ଚାୟତର ନିର୍ବାହୀ ଅଧିକାରୀ ମାନେ ନାଏବ ସରପଞ୍ଚଙ୍କ ତତ୍ୱାବଧାନରେ ୱାର୍ଡ ସଭ୍ୟ, ସମିତି ସଭ୍ୟ,ଅଙ୍ଗନୱାଡି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଥିଲେ ।ଏ ନେଇ ନିର୍ବାହୀ ଅଧିକାରୀ ମାନେ ସ୍ୱତନ୍ତ୍ର ଭାବେ ଚିଠି ମାଧ୍ୟମରେ ପୂର୍ବରୁ ସମସ୍ତଙ୍କୁ ଅବଗତ କରିଥିଲେ ହେଁ ଆଜି ଚମ୍ପୁଆ ବ୍ଲକର ୨୨ ଟି ଯାକ ପଞ୍ଚାୟତକୁ ନାଏବ ସରପଞ୍ଚଙ୍କ ସହିତ କୌଣସି ୱାର୍ଡ ସଭ୍ୟ ଯାଇ ନ ଥିବାରୁ ଅଧିକାଂଶ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ହୋଇ ପାରି ନ ଥିବା ଜଣା ଯାଇଛି । ତେବେ କାଁ ଭାଁ ୨, ୩ ଟି ପଞ୍ଚାୟତରେ ହାତ ଗଣତି ଅଙ୍ଗନୱାଡି କର୍ମୀ ଓ କିଛି ଠିକାଦାରଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିବା ଦେଖା ଯାଇଛି ।ଏହାକୁ ନେଇ ଚମ୍ପୁଆ ବ୍ଲକ ସରପଞ୍ଚ ସଂଘ ସଭାପତି ସନ୍ତୋଷ ନାଏକଙ୍କୁ ଯୋଗାଯୋଗ କରାଯିବାରୁ ସରପଞ୍ଚଙ୍କ ଦାବିକୁ ସମର୍ଥନ କରି ବ୍ଲକର ସମସ୍ତ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଆଜିର କାର୍ଯ୍ୟକ୍ରମକୁ ଅସହଯୋଗ କରିଥିବା ସୂଚନା ଦେଇ ଥିବାବେଳେ ଏହାକୁ ନେଇ ଗ୍ରାମ ପଞ୍ଚାୟତ ଅଧିକାରୀ ଅନିଲ କୁମାର ମହାନ୍ତଙ୍କୁ ଯୋଗାଯୋଗ କରିବାରୁ ସରପଞ୍ଚ ମାନେ ମନା କରିଥିବା ଯୋଗୁଁ ଆଜିର କାର୍ଯ୍ୟକ୍ରମକୁ କୌଣସି ୱାର୍ଡ ସଭ୍ୟ କିମ୍ବା ନାଏବ ସରପଞ୍ଚ ଆସି ନ ଥିଲେ । କିଛି କିଛି ପଞ୍ଚାୟତରେ ସ୍ଥାନୀୟ ବାସିନ୍ଦା, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିବା ପ୍ରକାଶ କରିଛନ୍ତି ।