ସାଲେପୁର : କେନ୍ଦୁପାଟଣା (ଛତ୍ରକଣ୍ଟା) ବଜାରଠାରୁ ଡଅଁରମୁହ ଶେଷ ପର୍ଯ୍ୟନ୍ତ ୮(୧) କେନାଲ ବନ୍ଧ ରାସ୍ତାରେ ଦୈନନ୍ଦିନ ହଜାର ହଜାର ଲୋକ ନିଜ ନିଜର କାର୍ଯ୍ୟ ପାଇଁ ଯାତାୟାତ କରିଥାଆନ୍ତି । ଉକ୍ତ କେନାଲ ବନ୍ଧ ରାସ୍ତାରେ କେନ୍ଦୁପାଟଣା ଛକଠାରୁ ବରାଦୋ ପଂଚାୟତର କିଛି ଅଂଶଯାଏ ବିଦ୍ୟୁତଖୁଣ୍ଟ ପକାଯାଇ ବିଦ୍ୟୁତସେବା ଯୋଗାଇ ଦିଆଯାଉଥିବା ବେଳେ ଅପରପଟୁ ମଧ୍ୟ କିଛି ଅଂଶଯାଏ ବିଦ୍ୟୁତ ଖୁଣ୍ଟ ପକାଯାଇ ଉପଭୋକ୍ତାମାନଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଉଛି । ମଝି ଅଂଶରେ ଆଦୌ ବିଦ୍ୟୁତ ଖୁଣ୍ଟ ପକାଯାଇ ନାହିଁ କି ବିଦ୍ୟୁତସେବା ଯୋଗାଇ ଦିଆଯାଉନାହିଁ । ଯେଉଁଠି ଉପଭୋକ୍ତାମାନଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି କେନାଲବନ୍ଧ ପାଖରେ ବାସ କରୁଥିବା ଉପଭୋକ୍ତାମାନେ କେନାଲ ବନ୍ଧ ରାସ୍ତାର ଅନ୍ଧାର ଦୂର କରିବା ପାଇଁ ବ୍ୟକ୍ତିଗତ ଭାବେ କାଁ ଭାଁ କେଉଁଠି ବିଦ୍ୟୁତ ଖୁଣ୍ଟରେ ଗୋଟିଏ ଗୋଟିଏ ବିଦ୍ୟୁତ ବଲବ ଲଗାଇଛନ୍ତି । ଉକ୍ତ କେନାଲ ବନ୍ଦ ରାସ୍ତାଟି ବରାଦୋ ପଂଚାୟତ ଅଧିନରେ ଆସୁଅଛି । ଗ୍ରାମାଞ୍ଚଳରେ ସହରୀ ସୁବିଧା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ରାଜକୋଷରୁ ବିଭିନ୍ନ ଯୋଜନାର ଅର୍ଥକୁ ଉଜ୍ଵଳ ଆଲୋକୀକରଣ ବାବଦରେ ଖର୍ଚ୍ଚ କରାଯାଉଛି । ହେଲେ ବରାଦୋ ପଂଚାୟତ ଅଧିନରେ ଯାଉଥିବା ଉକ୍ତ କେନାଲବନ୍ଧ ରାସ୍ତାରେ ଅଦ୍ୟାବଧି ଉଜ୍ଜଳ ଆଲୋକୀକରଣ ବ୍ୟବସ୍ଥା କରାଯାଇନାହିଁ । ଅନ୍ଧାରର ସୁଯୋଗ ନେଇ ଅସାମାଜିକ ଯୁବକମାନଙ୍କର ଆଡ୍ଡା ଜମୁଥିବା ବେଳେ ସମୟ ସମୟରେ ଛୋଟବଡ ଦୁର୍ଘଟଣା ଘଟୁଥିବା ଓ ରାହାଜାନୀ ହେଉଥିବା ନଜିର ରହୁଛି । ଏହି କେନାଲ ବନ୍ଧ ରାସ୍ତାରେ ଅଦ୍ୟାବଧି ଉଜ୍ଜଳ ଆଲୋକୀକରଣ ବ୍ୟବସ୍ଥା ହୋଇନଥିବା ଅତ୍ୟନ୍ତ ପରିତାପର ବିଷୟ । ତୁରନ୍ତ ଏଠାରେ ଉଜ୍ଵଳ ଆଲୋକୀକରଣ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।