ଚମ୍ପୁଆ : ଠିକାଦାରଙ୍କ ମନମାନୀ ତଥା ନିମ୍ନ ମାନର କାମ ପାଇଁ ମରଣଯନ୍ତା ପାଲଟିଛି ୨0ନମ୍ବର ଜାତୀୟ ରାଜପଥ l ଚମ୍ପୁଆ ଠାରୁ ରିମୁଳି ପର୍ଯ୍ୟନ୍ତ ସର୍ବମୋଟ ୧୫.୯୪ କି. ମି. ଦୈର୍ଘ୍ୟ ଏହି ଜାତୀୟ ରାଜପଥର ସୁଦୃଢ଼ୀ କରଣ ପାଇଁ ୧୪ କୋଟି ୫୮ ଲକ୍ଷ ୮0 ହଜାର ଅର୍ଥାତ କିଲୋମିଟର ପ୍ରତି ୯୯ ଲକ୍ଷ ୩0 ହଜାର ଟଙ୍କା ମଞ୍ଜୁର କରାଯାଇ ଥିଲେହେଁ ଠିକାଦାରଙ୍କ ମନମାନୀ କାର୍ଯ୍ୟ ପାଇଁ ମରଣ ଯନ୍ତା ପାଲଟିଛି ଏହି ଜାତୀୟ ରାଜପଥ l ଏହି ରାସ୍ତାର ସୁଦୃଢ଼ୀ କରଣ ପାଇଁ ଜାତୀୟ ରାଜପଥ ବିଭାଗ ଅଲେଖ କନଷ୍ଟ୍ରକସନ ନାମକ ଠିକା ସଂସ୍ଥାକୁ କାର୍ଯ୍ୟ ହସ୍ତାନ୍ତର କରି ନିଜର ଦାୟିତ୍ୱ ସାରି ଦେଇ ଥିବାବେଳେ ଠିକାଦାରଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ କେହି ନ ଥିବାରୁ ଠିକାଦାର ସାଧାରଣ ଲୋକଙ୍କ ଜୀବନ ସହିତ ଖେଳୁଥିବା ଅଭିଯୋଗ ହେଉଛି l ଏହି ରାଜପଥ ନିର୍ମାଣ କାର୍ଯ୍ୟ ଗତ ୧୬ – 0୧ – ୨0୨୧ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ସମୟ ସୀମା ପ୍ରଦାନ କରାଯାଇ ଥିଲା, କିନ୍ତୁ ସେହି ସମୟ ସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରି ନ ପାରିବାରୁ ପୁନର୍ବାର ୩0-0୬-୨0୨୩ ତାରିଖ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଠିକା ସଂସ୍ଥାକୁ ସମୟ ଦିଆ ଯାଇ ଥିବାବେଳେ ଠିକା ସଂସ୍ଥା ଅତି ତରବରିଆ ଭାବେ ନିମ୍ନମାନର କାର୍ଯ୍ୟ କରି ଛୁ ମାରିଥିବା ଦେଖା ଯାଇଛି l ଫଳରେ ଜାଗା ଜାଗାରେ ପିଚୁ ଉଠିଯାଇ ଗର୍ତ୍ତ ସୃଷ୍ଟି ହୋଇ ଥିବାବେଳେ ମହେଶ୍ୱରପୁର ପୋଲ ଉପରେ ରାସ୍ତାର ଉଭୟ ପାର୍ଶ୍ଵରେ ସମ୍ପୂର୍ଣ ଭାଙ୍ଗି ଖାଲ ସୃଷ୍ଟି ହୋଇଛି l ସାଧାରଣ ବର୍ଷା ହେଲେ ଖାଲରେ ପାଣି ଜମି ରହି ମାଛ ଗଡିଆ ର ଭ୍ରମ ସୃଷ୍ଟି କରୁଛି l ଦୂର ଦୁରାନ୍ତରୁ ଆସୁଥିବା ସାଇକେଲ, ମୋଟରସେଇକେଲ ଆରୋହୀ ପଡି ଖଣ୍ଡିଆ ଖାବରା ହେବା ନିତି ଦିନିଆଁ ଘଟଣା ପାଲଟିଛି l ଦୀର୍ଘ ଦିନରୁ ଏହି ପୋଲ ଉପରେ ରାସ୍ତା ଭାଙ୍ଗି ଯାଇଥିଲେ ମଧ୍ୟ ଠିକା ସଂସ୍ଥା ମରାମତି କରିବାର ନାମ ଧରୁ ନ ଥିବାରୁ ତାହା ଏବେ ମରଣ ଯନ୍ତା ପାଲଟିଛି l ଏହି ରାସ୍ତାରେ ଦୈନିକ ହଜାର ହଜାର ସଂଖ୍ୟାରେ ଖଣିଜ ପଥର ବୋଝେଇ ଟ୍ରକ, ଟ୍ରଲର ପ୍ରଭୃତି ଚଳାଚଳ କରୁଥିବାରୁ ସାଧାରଣ ଲୋକଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି l ଏହି ରାସ୍ତା ନିର୍ମାଣର ଅବଧି ସରି ଯାଇଥିଲେ ମଧ୍ୟ ନିର୍ମାଣ ଦାୟିତ୍ୱ ନେଇ ଥିବା ଠିକା ସଂସ୍ଥା ୨0୨୫ – ୨0୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ରକ୍ଷଣା ବେକ୍ଷଣ କରିବାନେଇ କାର୍ଯ୍ୟାଦେଶରେ ଉଲେଖ ରହିଥିଲେ ମଧ୍ୟ ଉକ୍ତ ଠିକା ସଂସ୍ଥା ରାସ୍ତା ମରାମତିର ନାଁ ଧରୁ ନ ଥିବାବେଳେ ପଡୋଶୀ ଝାରଖଣ୍ଡ ରାଜ୍ୟରୁ ଓଡିଶାକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଚମ୍ପୁଆ ଉପଖଣ୍ଡ କାର୍ଯ୍ୟାଳୟରୁ କେନ୍ଦୁଝର ଜିଲ୍ଲା କାର୍ଯ୍ୟାଳୟକୁ ଛୋଟ ଚପରାଶି ଠାରୁ ବଡ଼ ବଡ଼ିଆ ସରକାରୀ ଅଧିକାରୀ ମାନେ ଦୈନିକ ଯିବା ଆସିବା କରୁଥିଲେ ମଧ୍ୟ ମୃତ୍ୟୁ ଯନ୍ତା ପାଲଟିଥିବା ଏହି ଜାତୀୟ ରାଜପଥ ପ୍ରତି କାହାରି ନଜର ପଡ଼ୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି l ନିମ୍ନମାନର କାମ ଯୋଗୁଁ ଦରଭଙ୍ଗା ଏହି ରାସ୍ତାରେ ଦୈନିକ କିଛି ନା କିଛି ଦୁର୍ଘଟଣା ଘଟୁ ଥିବାରୁ ମୁଣ୍ଡ ଗଡିବାକୁ ଅପେକ୍ଷା ନ କରି ଜାତୀୟ ରାଜପଥ ବିଭାଗ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି l