କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁରରେ ମତଦାନ ସାବ୍ୟସ୍ତ କରିବେ ୬୨,୮୭,୨୨୨ ଭୋଟର
୭୩୦୩ ମତଦାନ କେନ୍ଦ୍ରରେ ହେବ ମତଦାନ
ଭୁବନେଶ୍ୱର – ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାରେ (ପ୍ରଥମ ପର୍ଯ୍ୟାୟ) ୪ ଗୋଟି ସଂସଦୀୟ କ୍ଷେତ୍ର ଯଥା: କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ଆଜି ନିର୍ବାଚନ ଆରମ୍ଭ ହୋଇଛି ।
ଏହି ପର୍ଯ୍ୟାୟରେ ଚାରୋଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୬୨,୮୭,୨୨୨ ଜଣ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୩୦,୯୭,୫୨୭ ପୁରୁଷ, ୩୧,୮୯,୦୬୦ ମହିଳା ଓ ୬୩୫ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୧୦୩୦ ରହିଛି । ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ଏମାନଙ୍କ ମଧ୍ୟରେ ୧,୭୫,୧୩୪ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୪,୬୮,୫୦୪ ଜଣ ଯୁବ ମତଦାତା ରହିଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୭୨୮୯ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛିଫ । ପରିସୀମା ଭାବରେ ଏହି ପର୍ଯ୍ୟାୟରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସବୁଠୁ ସାନ ଓ କୋରାପୁଟ ସବୁଠାରୁ ବଡ଼ ସଂସଦୀୟ କ୍ଷେତ୍ର । ବିଧାନସଭା କ୍ଷେତ୍ରମାନଙ୍କ ମଧ୍ୟରେ ବ୍ରହ୍ମପୁର ସବୁଠାରୁ ସାନ ଓ ମାନକାନଗିରି ସବୁଠାରୁ ବଡ଼ ବିଧାନସଭା କ୍ଷେତ୍ର ଅଟେ । ମତଦାତା ସଂଖ୍ୟା ହିସାବରେ କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ୧୪୮୦୯୨୨ ଜଣ ମତଦାତା ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୧୭,୦୦,୭୮୦ ଜଣ ମତଦାତା ରହିଛନ୍ତି । ବିଧାନସଭା କ୍ଷେତ୍ରଗୁଡ଼ିକ ମଧ୍ୟରେ ଲକ୍ଷ୍ମୀପୁରରେ ସର୍ବନିମ୍ନ ୧,୭୩,୭୨୧ ଜଣ ଓ ଧର୍ମଗଡ଼ରେ ସର୍ବାଧିକ ୨,୬୧,୭୦୮ ଜଣ ମତଦାତା ରହିଛନ୍ତି । ଏହି ଚତୁର୍ଥ ପର୍ଯ୍ୟାୟରେ ସାମଗ୍ରିକ ଭାବରେ ୩୯,୯୯୫ ଜଣ ୮୫ ବର୍ଷରୁ ଊର୍ଦ୍ଧ୍ୱ ମତଦାତା, ୧୨୯୪ ଜଣ ୧୦୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ମତଦାତା, ୩୧ ଜଣ ପ୍ରବାସୀ ମତଦାତା ଓ ୬୨୯୬ ଜଣ ସର୍ଭିସ୍ ଭୋଟର ରହିଛନ୍ତି ।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ମୋଟ ୯୧୫୫ଟି ବାଲାଟ୍ ୟୁନିଟ୍, ୯୫୦୭ଟି କେଂଟ୍ରାଲ ୟୁନିଟ୍ ଓ ୯୯୮୮ଟି ଭିଭିପାଟ କମିଶନ ହୋଇଛି । ବିଧାନସଭା କ୍ଷେତ୍ର ମତଦାନ ପାଇଁ ୯୩୮୪ଟି ବାଲାଟ ୟୁନିଟ୍, ୯୫୩୨ଟି କେଂଟ୍ରାଲ ୟୁନିଟ୍ ଓ ୯୯୫୭ଟି ଭିଭିପାଟ୍ କମିଶନ ହୋଇଛି ।
ଉକ୍ତ ଚତୁର୍ଥ ପର୍ଯ୍ୟାୟରେ ଅତିରିକ୍ତ ମତଦାନ କେନ୍ଦ୍ରକୁ ମିଶାଇ ରହିଥିବା ୭୩୦୩ ମତଦାନ କେନ୍ଦ୍ର ମଧ୍ୟରୁ ୭୪୮ଟି ସହରାଂଚଳ ଓ ୬୫୫୫ଟି ଗ୍ରାମାଂଚଳରେ ରହିଛି । ଏହା ମଧ୍ୟରେ ‘ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’, ‘ସଂପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’ ଏବଂ ‘ସଂପୂର୍ଣ୍ଣ ରୂପେ ଯୁବ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର’ ରହିଛି । ଏହି ପର୍ଯ୍ୟାୟରେ ମୋଟ ୬୬୨ଟି ଆଦର୍ଶ ମତଦାନ କେନ୍ଦ୍ର (ମଡ଼େଲ୍ ବୁଥ୍) ରହିଛି । ଏହି ପର୍ଯ୍ୟାୟରେ ପ୍ରାୟ ୫୩୦୦୦ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସର୍ବମୋଟ ୭୩୦୩ଟି ବୁଥ୍ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ବୁଥ୍ ରେ ୱେବ୍ କାଷ୍ଟିଂ କରାଯିବ ।
କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ମୋଟ ୩୭ ଜଣ (ପୁରୁଷ-୩୦, ମହିଳା-୭) ପ୍ରାର୍ଥୀ ରହିଛନ୍ତି । ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୨୪୩ ଜଣ (ପୁରୁଷ-୨୧୪, ମହିଳା-୨୯) ପ୍ରାର୍ଥୀ ରହିଛନ୍ତି । କୋରାପୁଟ, କଳାହାଣ୍ଡି ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ୧୧ ଜଣ ଲେଖାଏଁ ପ୍ରାର୍ଥୀ ଏବଂ ନବରଙ୍ଗପୁରରେ ୪ ଜଣ ପ୍ରାର୍ଥୀ ରହିଛନ୍ତି । ଝରିଗାଁ, ନବରଙ୍ଗପୁର ଓ ଡେବୁଗାଁ ପାଇଁ ସର୍ବନିମ୍ନ ୩ ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି । ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପାଇଁ ସର୍ବାଧିକ ୧୭ ପ୍ରାର୍ଥୀ ରହିଛନ୍ତି ।
ନିର୍ବାଚନ ଦିନ ପାଣିପାଗ ଅନୁକୂଳ ରହିବ ବୋଲି ଆଇଏମଡି ଆକଳନ କରିଛନ୍ତି, ତଥାପି ପ୍ରତିଟି ପୋଲିଂ ଷ୍ଟେସନ୍ ରେ ଆଶାକର୍ମୀ ରହିବେ । ଅଂଶୁଘାତର ଜରୁରୀ ଚିକିତ୍ସା ପାଇଁ ସେଠାରେ ଆଶୁ ଚିକିତ୍ସା ବ୍ୟବସ୍ଥା, ଓଆରଏସ୍ ଆଦି ରହିବ । ପ୍ରତିଟି ସେକ୍ଟର ଅଫିସରଙ୍କ ସହ ଜଣେ ପାରା-ମେଡିକାଲ ଷ୍ଟାଫ୍ ଜରୁରୀ ଔଷଧପତ୍ର ସହିତ ରହିବେ । ମୋବାଇଲ୍ ହେଲଥ୍ ୟୁନିଟ୍ ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ନିୟମିତ ବ୍ୟବଧାନରେ ବୁଥ୍ କୁ ସ୍ପର୍ଶ କରିବେ । ବରିଷ୍ଠ ଭୋଟର ଓ ଭିନ୍ନକ୍ଷମ ଭୋଟରଙ୍କ ସହାୟତା ପାଇଁ ସ୍ୱେଚ୍ଛାସେବୀମାନେ ରହିବେ । ସେମାନଙ୍କ ପାଇଁ ବସିବା ବ୍ୟବସ୍ଥା କରାଯାଇଛି ।