ନୂଆଦିଲ୍ଲୀ : ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉଙ୍କର ଦୟଣାମାଳି ସେବକ ବସନ୍ତ କୁମାର ରଣା କେନ୍ଦ୍ର ସରକାରଙ୍କ ବିଶ୍ୱକର୍ମା ଯୋଜନାକୁ ନେଇ ବେଶ ଉତ୍ସାହ ପ୍ରକାଶ କରିବା ସହିତ ଏହା କୌଳିକ ବୃତ୍ତିଧାରୀ କାରିଗରମାନଙ୍କୁ ବିଶେଷ ଭାବେ ସହାୟକ ହେବ ବୋଲି କହିଛନ୍ତି । ଗତ ୧୭ ତାରିଖରେ ପିଏମ୍ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଶ୍ରୀ ରଣା ବିଶ୍ୱକର୍ମା ପ୍ରମାଣପତ୍ର ପାଇଛନ୍ତି । ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଅନୁଭୂତି ସ୍ୱତନ୍ତ୍ର ଥିଲା ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
ଶ୍ରୀ ରଣା କହିଛନ୍ତି, ୯୦ ଦଶକରୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା କରି ଆସୁଛନ୍ତି । ଶ୍ରୀଜିଉଙ୍କ ସବୁଠୁ ବିରଳ ବେଶ ନାଗାର୍ଜ୍ଜୁନ ବେଶ ସମୟରେ ସେ ଫୁଲମାଳ, ଟାହିଆ ଯୋଗାଇ ଦେଇଥିଲେ । ଶ୍ରୀଜିଉଙ୍କର ସ୍ନାନ ପୂର୍ଣ୍ଣିମା, ହାତୀ ବେଶ, ଗଜ ଉଦ୍ଧାରଣ ବେଶ, କୃଷ୍ଣ ବଳରାମ ବେଶ, ପଦ୍ମବେଶ, ଡାଳିକିଆ ବେଶ ମଧ୍ୟ ସେ ପ୍ରସ୍ତୁତ କରିଥାନ୍ତି । ତା’ଛଡ଼ା ସ୍ନାନପୂର୍ଣ୍ଣିମା ଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଟାହିଆ ମଧ୍ୟ ସେ ତିଆରି କରିଥାନ୍ତି ।
ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ବିଶ୍ୱକର୍ମା ପ୍ରମାଣପତ୍ର ଗ୍ରହଣ କରିବାର ଅନୁଭୂତିକୁ ନେଇ ପଚାରିବାରୁ ଶ୍ରୀ ରଣା ଭାବପ୍ରବଣ ହୋଇ ପଡ଼ିଛନ୍ତି । ସେ କହିଛନ୍ତି, ତାଙ୍କ ଭଳି ସାଧାରଣ କାରିଗରଙ୍କୁ ଦେଶର ରାଜଧାନୀର ମଞ୍ଚରେ ଛିଡ଼ା ହେବାର ସୁଯୋଗ ମିଳିବା ଶ୍ରୀଜଗନ୍ନାଥଙ୍କ କୃପାରୁ ସମ୍ଭବ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବାର ଅନୁଭୂତି ସ୍ୱତନ୍ତ୍ର ଥିଲା । ମହାପ୍ରଭୁ ଜଗନ୍ନାଥଙ୍କ କେଉଁ ସବୁ ସେବା କରିଥାନ୍ତି ସେ ସମ୍ପର୍କରେ ଶ୍ରୀ ମୋଦୀ ତାଙ୍କ ସହ କଥା ହୋଇଥିଲେ ବୋଲି ସେ କହିଛନ୍ତି ।
ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ନେଇ ଶ୍ରୀ ରଣା କହିଛନ୍ତି, ପୁରୀ ସହରରେ ଥିବା ସବୁ ବିଶ୍ୱକର୍ମାମାନଙ୍କୁ ଚିହ୍ନଟ ଏବଂ ଏକତ୍ରିତ କରି ସେମାନଙ୍କ ପାଇଁ ତାଲିମ ବ୍ୟବସ୍ଥା କରାଯିବ । ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ କରାଯିବ । ରାଜ୍ୟର ପୁରୀ, ଭୁବନେଶ୍ୱର ଓ ସମ୍ବଲପୁର ଠାରେ କୌଳିକ ବୃତ୍ତିଧାରୀ କାରିଗରଙ୍କ ପାଇଁ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।