ପୁରୀ, ୮ ଅକ୍ଟୋବର :- ପୁରୀକୁ ବିଶ୍ଵସ୍ତରୀୟ ଐତିହ୍ୟ ସହର କରିବା ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବର୍ଷ ବର୍ଷ ଧରି ଚାଲୁଥିଲେ ମଧ୍ୟ ତାହା ଶେଷ ହୋଇପାରୁ ନାହିଁ । ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦୀର୍ଘ ୫ ବର୍ଷ ଧରି ଖୋଳା ତଡ଼ା ଭଙ୍ଗା ଭଙ୍ଗି ଓ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଏମାରମଠ ଭାଙ୍ଗି ଯିବା ପରେ ତାର ଐତିହ୍ୟ ସ୍କୃତି ସେହି ଡ଼ିଜାଇନର ମଠ ଗୃହ ଓ ରଘୁନନ୍ଦନ ଲାଇବ୍ରେରୀ ନିର୍ମାଣ ହୋଇପାରି ନାହିଁ । ମନ୍ଦିର ଚାରିପଟୁ କାରୁକାର୍ଯ୍ୟ ପୂର୍ଣ୍ଣ ମଠ ଗୁଡ଼ିକ ଭାଙ୍ଗି ଦିଆଯାଇଥିଲେ ମଧ୍ୟ ସେହି ଅନୁରୂପ ମଠ ନିର୍ମାଣ ହୋଇ ପାରିନାହିଁ । ଶ୍ରୀସେତୁ କାର୍ଯ୍ୟ ସରିବ ସରିବ ବୋଲି ଶେଷ ହୋଇ ପାରୁନାହିଁ । ବେଳାଭୂମି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି । ମାଟିଆପଡ଼ା ଓଭରବ୍ରିଜ୍ କାର୍ଯ୍ୟ ୫ ବର୍ଷ ଧରି ମାପଚୁପ, କ୍ଷତିପୂରଣ, ଘର ଭଙ୍ଗା ଓ ଏବେ ଡ଼୍ରେନେଜ ଓ ସ୍ଵରେଜ କାର୍ଯ୍ୟ ଶେଷ ହୋଇ ପାରିନାହିଁ । ସେହି ଅଂଚଳର ଲୋକମାନେ ଓଭରବ୍ରିଜ୍ ସ୍ଵପ୍ନ ଦେଖି ଦେଖି ୫ ବର୍ଷ ବିତିଗଲାଣି । ସିଂହଦ୍ଵାର ଓ ବଡ଼ଦାଣ୍ଡରୁ ଉଚ୍ଛେଦ ହୋଇଥିବା ଦୋକାନି ମାନଙ୍କୁ ୩ଟି ମାର୍କେଟ କମ୍ଲେକ୍ସରେ ଦୋକାନ ଗୃହ ଆବଂଟନ କାର୍ଯ୍ୟ ଶେଷ ହୋଇ ପାରିନାହିଁ । ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡ ଓ ଶ୍ଵେତଗଙ୍ଗା ପୁଷ୍କରଣୀ ଗୁଡ଼ିକ ଉନ୍ନତି କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଛି । ପାର୍ବଣ ଋତୁ ଚାଲିଥିଲେ ମଧ୍ୟ ସାହି ଗଳିକନ୍ଦି ରାସ୍ତା ଗୁଡ଼ିକ ଫ୍ଲେବର ଇଟା ବିଛାଡ଼ିବା କାର୍ଯ୍ୟ ଶେଷ ହୋଇ ପାରିନାହିଁ । ଭୂଦାନ ଛକରେ ନିର୍ମାଣାଧୀନ ମାଛ ମାର୍କେଟ କାର୍ଯ୍ୟ ଶେଷ ହୋଇ ପାରିନାହିଁ । ହୁଳୁହୁଳିଆ ପୋଲ ଠାରୁ ଅଠରନଳା ଦେଇ ମଙ୍ଗଳାନଦୀ ପର୍ଯ୍ୟନ୍ତ ମୂଷା ନଦୀ ଖନନ, ଉନ୍ନତିକରଣ, ନଦୀ ବନ୍ଧ ନିର୍ମାଣ, ଦଳ ସଫେଇ ଓ ଜବରଦଖଲ କାର୍ଯ୍ୟ ଦୀର୍ଘ ୧୧ ବର୍ଷ ଧରି ଜାରି ରହିଛି । ଜଗନ୍ନାଥ ବଲ୍ଲଭରେ ନିର୍ମାଣାଧୀନ ଅନେକ ପ୍ରକଳ୍ପ ଅଧା ନିର୍ମାଣ ହୋଇ ପଡ଼ି ରହିଛି । ମଝିରେ ମଝିରେ ଜାନୁଆରୀରେ ଶେଷ ହେବ, ଡ଼ିସେମ୍ବରରେ ଶେଷ ହେବ, ରଥଯାତ୍ରା ପରେ ଶେଷ ହେବ ଏଭଳି ପ୍ରତିଶୃତି ପରେ ପ୍ରତିଶୃତି ଦେଇ ପ୍ରଶାସନ ଦିନ ଗଡ଼ାଉଥିôବା ଲୋକମାନେ ଅଭିଯୋଗ କରିଛନ୍ତି ।
ସେହିପରି ତାଳବଣିଆ ଅଂଚଳରେ ବିଶ୍ଵସ୍ତରୀୟ ପାର୍କ ନିର୍ମାଣ ହୋଇ ପାରିନାହିଁ । ୪୦ ହଜାର ଭକ୍ତ ରହିବା ପାଇଁ କୋଠା ନିର୍ମାଣ କରାଯାଇ ପାରିନାହିଁ । ପୁରୀ ସହରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରବିନ୍ଦ୍ର ମଣ୍ଡପ ପରି ହଲ୍ ଟିଏ ନାହିଁ କି ସିନେମାପ୍ରେମୀଙ୍କ ପାଇଁ ସିନେମା ହଲଟିଏ ନିର୍ମାଣ ହୋଇ ପାରିନାହିଁ । ନିର୍ବାଚନ ପରେ ନିର୍ବାଚନ ଆସୁଛି । ନେତାଙ୍କ ପରେ ନେତା ବଦଳୁଛନ୍ତି । ହେଲେ ଲୋକଙ୍କ ସୁବିଧା ପାଇଁ ଅନେକ ଜନହିତକର କାର୍ଯ୍ୟ ଶେଷ ହୋଇପାରୁନାହିଁ ବୋଲି ସହରରେ ଚର୍ଚ୍ଚା ହେଉଛି ।