ଭୁବନେଶ୍ୱର : ଭାରତ ଛାଡ ଆନ୍ଦୋଳନ ଡାକରାର ୮୧ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଦେଶରେ ଭ୍ରଷ୍ଟାଚାର, ବଂଶବାଦ ଏବଂ ତୁଷ୍ଟିକରଣ ମନୋବୃତ୍ତି ଆଧାରିତ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଗାଁ, ପଞ୍ଚାୟତ, ବ୍ଲକ, ଜିଲ୍ଲା, ରାଜ୍ୟ ଏବଂ ସର୍ବଭାରତୀୟ ସ୍ତରରେ ଏହି ଆନ୍ଦୋଳନକୁ ଜନଆନ୍ଦୋଳନର ରୂପ ଦେବା ପାଇଁ ଅପିଲ୍ କରିଛନ୍ତି ପ୍ରଧାନ ।
ଏହି ଭିଡିଓ ବାର୍ତ୍ତାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ହେଉଛି ଏକ ସ୍ମରଣୀୟ ଓ ପ୍ରେରଣାଦାୟୀ ଦିନ । ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଅଂହିସାର ପୂଜାରୀ ପୂଜ୍ୟ ବାପୁ ଇଂରେଜ ଶାସକଙ୍କ ବିରୋଧରେ ‘ଭାରତ ଛାଡ’ ଆନ୍ଦୋଳନ ଡାକରା ଦେଇଥିଲେ । ଗାନ୍ଧିଜୀଙ୍କ ଏହି ପ୍ରେରଣାଦାୟୀ ଡାକରା ବ୍ରିଟିଶ ସରକାରଙ୍କୁ ଭୟଭୀତ କରାଇ ଦେଇଥିଲା ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଏକ ନିର୍ଣ୍ଣାୟକ ମୋଡ ଦେଇଥିଲା । ଆମ ରାଜ୍ୟ ଓଡ଼ିଶାରେ ଗାନ୍ଧିଜୀଙ୍କ ଭାରତ ଛାଡ ଆନ୍ଦୋଳନ ଡାକରାର ପ୍ରଭାବ ସାଧାରଣ ଲୋକଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଓ ନୂଆ ଉଦ୍ଦୀପନା ଆଣିଦେଇଥିଲା । ଗାନ୍ଧିଜୀଙ୍କ ଡାକରାରେ ଉଦ୍ବୁଦ୍ଧ ହୋଇ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ତଥା ଅନେକ ପ୍ରମୁଖ ନେତୃମଣ୍ଡଳୀ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ ।
ଗାନ୍ଧିଜୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ଓଡ଼ିଶାର ବରପୁତ୍ର ପବିତ୍ରମୋହନ ପ୍ରଧାନ ୧୯୪୨ରେ ଜେଲରୁ ଖସି ଆସି ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେଇ ନିଜର ଅନନ୍ୟ ସାହସର ପରିଚୟ ଦେଇଥିଲେ । କୋରାପୁଟର ଲକ୍ଷ୍ମଣ ନାଏକ ଫାଶୀ ଖୁଣ୍ଟରେ ପ୍ରାଣବଳୀ ଦେବା ଦେଶପ୍ରୀତିର ଚରମ ନିଦର୍ଶନ । ବରଗଡ଼ର ପାଣିମୋରା ଗାଁରୁ ୩୬ ଜଣ ଯୁବକ ଆନ୍ଦୋଳନରେ ଯୋଗଦେଇ କାରାବରଣ କରିବା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ଉଜ୍ଜ୍ୱଳ ଅଧ୍ୟାୟ । ଭଦ୍ରକର ଇରମ ଠାରେ ବ୍ରିଟିଶଙ୍କ ଗୁଳିମାଡରେ ୨୯ ଜଣ ସଂଗ୍ରାମୀ ଶହୀଦ ହେବା, ନବରଙ୍ଗପୁରର ପାପଡାହାଣ୍ଡି ଠାରେ ୧୯ ଜଣ ଶହୀଦ ପ୍ରାଣବଳୀ ଦେବା ଇତ୍ୟାଦି ୧୯୪୨ର ‘ଭାରତ ଛାଡ’ ଆନ୍ଦୋଳନର ଅବିସ୍ମରଣୀୟ ଘଟଣା । ସେହି ସ୍ୱାଧୀନତା ସଂଗ୍ରାମୀ ତଥା ଶହୀଦ ମାନଙ୍କ ପ୍ରାଣବଳୀ ଦ୍ୱାରା ମିଳିଥିବା ସ୍ୱାଧୀନତା ଆମ ଭାରତବର୍ଷକୁ ଗାରିମାମୟ କରିଛି ।
ଆଜି ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରି ସାରିଛି । ଭାରତବର୍ଷ “ଅମୃତକାଳ”ରେ ପ୍ରବେଶ କରିଛି ଏବଂ ୨୦୪୭ ବେଳକୁ ଏକ ବିକଶିତ ରାଷ୍ଟ୍ର ହେବାର ସଂକଳ୍ପ ନେଇଛି । ଅତ୍ୟନ୍ତ ଖୁସି ଏବଂ ଗର୍ବର ବିଷୟ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱରେ ସମଗ୍ର ବିଶ୍ୱରେ ଭାରତବର୍ଷ ଏକ ଦାୟିତ୍ୱସମ୍ପନ୍ନ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ନୂଆ ପରିଚୟ ସୃଷ୍ଟି କରିଛି । ଭାରତବର୍ଷର ଜନକଲ୍ୟାଣକାରୀ ଏବଂ ସମାବେଶୀ ନୀତି ସାଧାରଣ ମଣିଷର ଜୀବନଶୈଳୀକୁ ସୁରକ୍ଷିତ ଓ ଦୃଢ କରିଛି । ମହିଳା, ଯୁବପିଢି ତଥା ବଞ୍ଚିତ ବର୍ଗର ଲୋକମାନେ ଆଜି ଆଶା ଓ ଉତ୍ସାହର ସହ ନିଜ ପରିବାର ଏବଂ ସମାଜ ପାଇଁ ମୂଲ୍ୟବାନ ଯୋଗଦାନ ରଖୁଛନ୍ତି । କିନ୍ତୁ ଭାରତବର୍ଷର ପ୍ରଗତିରେ ଭ୍ରଷ୍ଟାଚାର, ବଂଶବାଦ ଓ ତୁଷ୍ଟୀକରଣ ମନୋବୃତ୍ତି ଆଧାରିତ ରାଜନୀତି ବାଧକ ସାଜିଛି । ଏହି ସବୁ ବିଷୟ, ଭାରତବର୍ଷକୁ ଏକ ପ୍ରଗତିଶୀଳ, ବିକଶିତ ଏବଂ ସ୍ଥିର ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଗଢି ତୋଳିବାର ପ୍ରକ୍ରିୟାରେ ବାଧକ ହୋଇଛି । ସାଧାରଣ ଭାରତୀୟ ମାନଙ୍କର ନ୍ୟାୟପୂର୍ଣ୍ଣ, ଭ୍ରଷ୍ଟାଚାର ତଥା ଅରାଜକତା ମୁକ୍ତ ଶାସନ ପାଇବାରେ ପ୍ରତିବନ୍ଧକ ସାଜୁଛି ।
ତେଣୁ ଗାନ୍ଧିଜୀଙ୍କ ୧୯୪୨ର ଭାରତ ଛାଡ ଆନ୍ଦୋଳନର ପ୍ରାସଙ୍ଗିକତା ଆଜି ଆହୁରି ବଢିଯାଇଛି । ଆଜି ଆମେ ସମସ୍ତେ ଏହି ଭ୍ରଷ୍ଟାଚାରୀ, ବଂଶବାଦୀ ଓ ତୁଷ୍ଟିକରଣ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ କରିବା । ଭ୍ରାଷ୍ଟାଚାରୀ, ବଂଶବାଦୀ ଓ ତୁଷ୍ଟିକରଣ ରାଜନୀତି କରୁଥିବା ଅପଶକ୍ତି ମାନଙ୍କ ଠାରୁ ଭାରତକୁ ସୁରକ୍ଷିତ ରଖିବା ପାଇଁ ଆଜିର ଦିନରେ ସଂକଳ୍ପ ନେବା । ଏହି ନୂତନ ଭାରତ ଛାଡ ଆନ୍ଦୋଳନ ହିଁ ଗାନ୍ଧିଜୀଙ୍କ ପରିକଳ୍ପିତ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଶହୀଦ ମାନଙ୍କ ଆଦର୍ଶରେ ଅନୁପ୍ରାଣିତ ବିକଶିତ ଭାରତବର୍ଷ ନିର୍ମାଣକୁ ସୁନିଶ୍ଚିତ କରିବ । ଏହା ହିଁ ଆଜି ଦିନରେ ଗାନ୍ଧିଜୀ ଏବଂ ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଓ ଶହୀଦ ମାନଙ୍କ ପ୍ରତି ସର୍ବୋକୃଷ୍ଟ ଶ୍ରଦ୍ଧାଞ୍ଜଳି ହେବ ବୋଲି କେନ୍ଦ୍ରମନ୍ତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି ।