ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଭୁବନେଶ୍ୱର ଖଣ୍ଡଗିରି ଧର୍ମବିହାର ଠାରେ ଗେଲ ଇଂଡିଆର ସିଏସଆର୍ ଅଧୀନରେ ରାଜ୍ୟର ପ୍ରଥମ ପ୍ରାକୃତିକ ଗ୍ୟାସ ଆଧାରିତ ‘ଶବଦାହ ଗୃହ’ର ଲୋକାର୍ପଣ କରିଛନ୍ତି ।
ଏହି ଅବସରରେ ପ୍ରଧାନ କହିଛନ୍ତି ଯେ ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଇଜ୍ ଅଫ୍ ଲିଭିଂ’ କଳ୍ପନାରେ ଏହି ନୂଆ ଅତ୍ୟାଧୁନିକ ଶବଦାହ ନିର୍ମାଣ କରିଥିବାରୁ ମୁଁ ଗେଲ୍ ଇଣ୍ଡିଆକୁ ଧନ୍ୟବାଦ ଜଣାଉଛି ।
ଗେଲ୍ ଇଣ୍ଡିଆ ଓ ବିଏମସି ର ସହଭାଗୀତାରେ ଆଜି ଭୁବନେଶ୍ଵରର ଧର୍ମବିହାରରେ ଏହି ଶ୍ମଶାନଘାଟ ଉଦଘାଟିତ ହୋଇଥିବା ବେଳେ ଆଉ ଦୁଇଟି ଆଇଗଣିଆ ଓ କଟକର ଖାନନଗର ଠାରେ ଶ୍ମଶାନାଗାର ତିଆରି କରାଯାଉଛି । ଏଥିପାଇଁ ମୋଟ ୧୬ କୋଟି ୩୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଖୁବ ଶୀଘ୍ର ଏହାର ଲୋକାର୍ପଣ ହେବା ଦ୍ୱାରା ଦ୍ଵୈତ-ନଗରୀରେ ଶବଦାହ ପାଇଁ ଯେଉଁ ଅସୁବିଧା ପରିଲକ୍ଷିତ ହେଉଛି, ତାହା ଦୂର ହେବ । ମୋଦି ସରକାରଙ୍କ ‘ପୂର୍ବୋଦୟ’ କଳ୍ପନାରେ ଓଡ଼ିଶା ସମେତ ପୂର୍ବ ଭାରତରେ ତୈଳ ଓ ଗ୍ୟାସ ଭିତ୍ତିଭୂମିକୁ ମଜଭୂତ କରାଯାଇଛି । ବିଗତ ୯ ବର୍ଷରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୨ ଲକ୍ଷ ୩ ହଜାର ୪୭୨ କୋଟି ଟଙ୍କାର ପ୍ରେଟ୍ରୋଲିୟମ, ପେଟ୍ରୋ କେମିକାଲ ପ୍ରକଳ୍ପ ଦେଇଛନ୍ତି । କଟକ ଓ ଭୁବନେଶ୍ୱରରେ ପ୍ରାୟ ୫୦ ହଜାର ଘରେ ଗ୍ୟାସ ପାଇପଲାଇନ ପହଞ୍ଚାଯାଇଛି ।
ସେ କହିଛନ୍ତି, ମୋଦି ସରକାରରେ ସରହାଞ୍ଚଳର ବିକାଶ ସହରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଦ୍ୟୁତ ଯାନ, ଏବଂ ସିଏନଜି ଚାଳିତ ଗାଡି ଉପରେ ଧ୍ୟାନ ଦିଆଯାଉଛି । ସ୍ମାର୍ଟ ସିଟି ଭୁବନେଶ୍ୱର ସମେତ ସବୁ ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଆମ ସମସ୍ତଙ୍କର ଦାୟିତ୍ୱ । ଏହାକୁ ଆମେ ସମସ୍ତେ ଜନଆନ୍ଦୋଳନରେ ପରିଣତ କରିବା ଦରକାର ।