ମୁମ୍ବାଇ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସପରିବାରେ ମୁମ୍ବାଇରେ ଲାଲବାଗ ର ରାଜାଙ୍କ ଦର୍ଶନ କରିବେ । ଗୃହମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଲାଲବାଗ ଏବଂ ଏହାର ଆଖପାଖ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ବିଭାଗୀୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଅପରାହ୍ନ ସାଢ଼େ ୩ଟାରେ ଲାଲବାଗ ରାଜାଙ୍କ ଦର୍ଶନ କରିବେ । ୨୫ ମିନିଟ୍ ଧରି ସେ ରାଜାଙ୍କ ଦରବାରରେ ଉପସ୍ଥିତ ରହିବେ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରିୟ ସୁରକ୍ଷା ଏଜେନ୍ସୀ ଓ ମୁମ୍ବାଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହାପରେ ଶ୍ରୀ ଶାହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ବାସଭବନକୁ ଯାଇ ଭଗବାନ ଗଣେଶଙ୍କ ଦର୍ଶନ କରିବେ । ଶ୍ରୀ ଶାହ ଏହାପରେ ଭାଜପାର ମୁମ୍ବାଇ ଅଧ୍ୟକ୍ଷ ଆଶିଷ ଶେଲାରଙ୍କ ବାନ୍ଦ୍ରା ସ୍ଥିତ ବାସଭବନକୁ ଯାଇ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରିବେ । ସଂନ୍ଧ୍ୟାରେ ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ।