ଜୟପୁର : ସ୍ୱାସ୍ଥ୍ୟ ହିଁ ସମ୍ପଦ ଓ ସବୁଜ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ସୁଦୂର ଭୁବନେଶ୍ବରରୁ ୧୩ ଅଗଷ୍ଟ ସକାଳ ୭ଟାରୁ ସାଇକେଲରେ ଭାୟା ରାୟଗଡା ଦେଇ ଦୀର୍ଘ ୫୪୦ କିଲୋମିଟର ଅତିକ୍ରମ କରି ଆଜି ଅପରାହ୍ନ ୨ ଟାରେ ଜୟପୁରରେ ପହଞ୍ଚିଥିବା ବଂଶୀଧର ମହାପାତ୍ରଙ୍କୁ ତାଙ୍କର ଏହି ଦୁଃସାହସିକ ଓ ପ୍ରେରଣାଦାୟକ କାର୍ଯ୍ୟ ପାଇଁ ଜୟପୁର ପୌରପାଳିକା ସ୍ଥିତ ପାୱାର ହାଉସ ଛକ ଠାରେ ଟି.ପି. ଦକ୍ଷିଣାଞ୍ଚଳ ଓଡିଶା ବିତରଣ ଲିମିଟେଡର ଉପ ସାଧାରଣ ପରିଚାଳକ ମନ୍ମଥ ନାଥ ମିଶ୍ର, ଅଭିଯୋଗ ପ୍ରତିକାର ବିଚାର ପୀଠର ସଭାପତି ତପନ ରଶ୍ମି ସୁବୁଦ୍ଧି ଓ ନିର୍ବାହୀ ଯନ୍ତ୍ରୀ ବରୁଣ ଚୌଧୁରୀ ପ୍ରଶଂସା କରିବା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଏହି ସମ୍ବର୍ଦ୍ଧନା ସଭାରେ ସୌମ୍ୟ ରଞ୍ଜନ ଲେଙ୍କା, ଜୀବନ ଜ୍ୟୋତି ମିଶ୍ର , ସୁରଜିତ୍ ସ୍ୱାଇଁ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଆଇ.ସି.ଏ.ଆର. ରୁ ୨୦୧୬ ମସିହାରେ ଆସିଷ୍ଟାଣ୍ଟ ଫାଇନାନ୍ସ ଆଣ୍ଡ ଆକାଉଣ୍ଟ ଅଫିସର ପଦବୀରୁ ଅବସର ନେଇଥିବା ବଂଶୀଧର ମହାପାତ୍ର, ଅବସର ଜୀବନରେ ସାଇକେଲ ଯାତ୍ରା ମାଧ୍ୟମରେ ନିଜକୁ ସୁସ୍ଥ ରଖିବା ଲକ୍ଷ ନେଇ ଭାରତର ବିଭିନ୍ନ ସ୍ଥାନକୁ ଯାତ୍ରା ୨୦୨୧ ମସିହାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ୭୦୦୦ କିଲୋମିଟରରୁ ଅଧିକ ପଥ ଭ୍ରମଣ କରି ସାରିଛନ୍ତି। ତାଙ୍କ ମତରେ- ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଇଚ୍ଛୁକ ପ୍ରତ୍ୟେକ ଓଡ଼ିଆ ନିଜ ରାଜ୍ୟର କୋରାପୁଟରେ ଭରି ରହିଥିବା ବିଶାଳ ପ୍ରକୃତିକୁ ଦର୍ଶନ କରି ଆନନ୍ଦ ପାଇବା ସଙ୍ଗେ ସଙ୍ଗେ ନିଜକୁ ସୁସ୍ଥ ରଖି ପାରିବେ।