ମାଲକାନଗିରି : ରକ୍ତ ତୀର୍ଥ ଇରମ୍ ର ସହିଦ ସଂଗ୍ରାମୀ ଦାୟଦଙ୍କୁ ସମ୍ବର୍ଧନା ଜଣାଇଛନ୍ତି ମାଲକାନଗିରି ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ । ଗତକାଲି ମାଥିଲି ଗୁଳିକାଣ୍ଡ ଦିବସ ପାଇଁ ସୁଦୁର ଭଦ୍ରକ ଜିଲ୍ଲା ବାସୁଦେବପୁର ରକ୍ତ ତୀର୍ଥ ଇରମ୍ ର ସହିଦ ମାଟିରୁ ପବିତ୍ର ଜଳ ଧରି ଆସିଥିବା ସହୀଦ ତୀର୍ଥଯାତ୍ରୀ ସଂଘ ରାଜ୍ୟ ସଭାପତି ସଂଗ୍ରାମୀ ବୈଲୋଚନ ଜେନା ଓ ସହୀଦ ରକ୍ତତୀର୍ଥ ଇରମ୍ ସ୍ମୃତି କମିଟି ସଦସ୍ୟ ଦୟାନିଧୀ ବେହେରାଙ୍କୁ ମାଲକାନଗିରି ସଦର ମହକୁମା ଅଵସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଧନା ଜ୍ଞାପନ କରାଯାଇଥିଲ। ସଂଘ ସଭାପତି ବାଲାରାଜୁ ପାଢିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହୀଦ ତୀର୍ଥଯାତ୍ରୀ ସଂଘ ରାଜ୍ୟ ସଭାପତି ସଂଗ୍ରାମୀ ବୈଲୋଚନ ଜେନା, ମୁଖ୍ୟବକ୍ତା ଭାବେ ସହୀଦ ରକ୍ତତୀର୍ଥ ଇରମ୍ ସ୍ମୃତି କମିଟି ସଦସ୍ୟ ଦୟାନିଧୀ ବେହେରା ଯୋଗଦେଇ ସ୍ଵାଧୀନତା ଆନ୍ଦୋଳନରେ ଓଡ଼ିଶାର ବୀର ସହିଦଙ୍କ ଭୂମିକା ଓ ତ୍ୟାଗ ସମ୍ପର୍କରେ କହିଥିଲେ।
ପ୍ରଥମେ ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ କାର୍ଯ୍ୟକ୍ରମର ଆଭିମୁଖ୍ୟ କହିବା ସହିତ ସଂଗ୍ରାମୀ ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଭାରତ ସ୍ଵାଧୀନତାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ କରିବା ସହ ମାଥିଲି ଏବଂ ପାପଡାହାଣ୍ଡି ଗୁଳିକାଣ୍ଡ ସମ୍ବନ୍ଧରେ ବିସ୍ତୃତ ସୂଚନା ଦେଇଥିଲେ। ସହୀଦ ତୀର୍ଥ ଯାତ୍ରା ରାଜ୍ୟ ସଂଘର ସଭାପତି ଶ୍ରୀ ଜେନା ତାଙ୍କ ବକ୍ତବ୍ୟରେ ୧୯୪୨ ମସିହା ଭାରତଛାଡ ଆନ୍ଦୋଳନ ସମୟର ଘଟଣା ବର୍ଣନା କରିଥିଲେ। ସେ ସମୟରେ ସଂଗ୍ରାମୀ ମାନେ ଥାନା ପୋଡି ଅସ୍ତ୍ରାଗାର, ସରକାରୀ ତହବିଲ ଲୁଟ, ଟେଲି ଯୋଗାଯୋଗ ବିଛିନ୍ନ, ଇତ୍ୟାଦି କାର୍ଯ୍ୟ କରି ବ୍ରିଟିଶ୍ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲୋ ଭାରତବର୍ଷରେ ଇଂରେଜ ମାନଙ୍କୁ ବିତାଡିତ କରିବା, ତାଙ୍କ ବିରୁଦ୍ଧରେ ଲଢେଇ କରି ସହୀଦ ହେବାରେ ଅଗ୍ରଣି ଭୂମିକା ଓଡିଶା ନେଇଥିଲା। ଯାହାର ଉଦାହରଣ ମାଥିଲି ଗୁଳିକାଣ୍ଡରେ ସହୀଦ ଲକ୍ଷ୍ମଣ ନାୟକଙ୍କୁ ମିଥ୍ୟା ମାମଲାରେ ଫସାଇ ଫାସିଦଣ୍ଡ ଦିଆଯାଇଥିଲ।। ପାପଡାହାଣ୍ଡିରେ ବ୍ରିଟିଶ୍ ସୈନିକ ମାନେ ସଂଗ୍ରାମୀ ମାନଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେହିପରି ଭଦ୍ରକ ଜିଲ୍ଲା ଇରମ୍ ଠାରେ ସଂଗ୍ରାମୀ ମାନଙ୍କୁ କିପରି ନିର୍ଯ୍ୟାତନା ସହ ମାଡ ସହିତ ଗୁଳି ମାରି ହତ୍ୟା କରାଯାଇଥିଲା, ଢେଙ୍କାନାଳରେ ବାଜି ରାଉତକୁ ଗୁଳି କରି ହତ୍ୟା କରିବା, ଖୋର୍ଦ୍ଧାର ପାଇକ ବିଦ୍ରୋହ, ଲବଣ ସତ୍ୟାଗ୍ରହରେ ଓଡିଶାର ସଂଗ୍ରାମୀ ମାନେ ସହୀଦ ସହ ଜେଲ ଯନ୍ତ୍ରଣା ଭୋଗିଥିଲେ, କିନ୍ତୁ ଆଜିର ପୀଢି ଭାରତ ସ୍ଵାଧୀନରେ ବଳିଦାନ ଦେଇଥିବା ମହାପୁରୁଷମାନଙ୍କ ବିଷୟରେ ଜ୍ଞାନ ଅର୍ଜନ ନ କରିବା ଏବଂ ରାଜ୍ୟ ସରକାର ସଂଗ୍ରାମୀ ସହୀଦ ପରିବାରଙ୍କୁ ଅବହେଳା କରୁଥିବାରୁ ସେ ଦୁଃଖ ପ୍ରକାଶ କରିଥିଲ । ଯୁବ ପୀଢି ପାଇକ ବିଦ୍ରୋହ ଏବଂ ଦେଶ ସ୍ଵାଧୀନତାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ମହାନାୟକ ବକ୍ସି ଜଗବନ୍ଧୁ, ଆସାମର ଲାସିଦ ବଡପୁକନ୍, ବିହାରର ତିଲକା ମାଝୀ, ଝାଡଖଣ୍ଡର ସିଧୁ କାହ୍ନୁ ମୁର୍ମୁ, ଆନ୍ଧ୍ରର ଆଲୁରି ସିତାରାମରାଜୁ, ଓଡିଶା ବାଣପୁରର କୃତିବାସ ପାଟସାହାଣୀ, ସହୀଦ ଲକ୍ଷ୍ମଣ ନାୟକଙ୍କ ପରି ଅନେକ ସଂଗ୍ରାମୀଙ୍କ ବିଷୟରେ ସ୍ଵାଧୀନତା ପାଇଁ ସେମାନଙ୍କର ଅବଦାନ ଜାଣିବା ଆବଶ୍ୟକା ବୋଲି ଶ୍ରୀ ଜେନା କହିଥିଲେ।
ଏହି କାର୍ଯ୍ୟକ୍ରମରେ ସହରର ଶତାଧିକ ଅବସରପ୍ରାପ୍ତ କର୍ମଚାରୀ ଉପସ୍ଥିତ ଥିଲେ। ସମ୍ପାଦକ ଅଶୋକ କୁମାର ସାମଲ, ଉପଦେଷ୍ଟା ରବିନ୍ଦ୍ର କୁମାର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ନାଗରିକ କମିଟିର ଦୁର୍ଯ୍ୟୋଧନ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।