ବଲାଙ୍ଗିର : ଜଣେ ସିଆଇଏସଏଫ୍ ଯବାନଙ୍କ ଦ୍ଵାରା ଯୁବତୀ ପ୍ରେମ ପ୍ରତାରଣାର ଶିକାର ହୋଇଛନ୍ତି ଜଣେ ଆଦିବାସୀ ଯୁବତୀ । ସଂପୃକ୍ତ ପୀଡ଼ିତା ଜଣକ ଏସପିଙ୍କ ଦ୍ଵାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ଯୁବତୀ ଜଣକ ହେଉଛନ୍ତି ବେଲପଡ଼ା ଥାନା ଅନ୍ତର୍ଗତ ବିଛୁବାହାଲି ଗାଁର ରତ୍ନାବତୀ ମାଝୀ (୨୬) ।
ସେ ଅଭିଯୋଗ କରିଛନ୍ତି ଯେ, ୪ ବର୍ଷ ପୂର୍ବେ ତାଙ୍କ ଗାଁର ସିଆଇଏସଏଫ୍ ରେ ଯବାନ୍ ଭାବେ ଚାକିରି କରୁଥିବା ଗୋକୁଳ ମାଝୀ (୩୭) ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ବାରମ୍ବାର ଶାରୀରିକ ସଂପର୍କ ରଖି ଆସୁଥିଲେ । ପୁଣି ଶାରୀରିକ ସଂପର୍କ ରଖିବାକୁ ମନା କଲେ, ତାଙ୍କୁ ଏକୁଟିଆ ଡାକି ମାଡ଼ ମାରୁଥିଲେ ଓ କାହାକୁ କିଛି ନ କହିବା ପାଇଁ ଅସଭ୍ୟ ଭାଷାରେ ଗାଳିଗୁଲଜ୍ କରୁଥିଲେ । ଭୟରେ ଯବାନଙ୍କ କଥାରେ ସେ ରାଜି ହୋଇ ଯାଉଥିଲେ । କିନ୍ତୁ, ଯେତେବେଳେ ସେ ବିବାହ କରିବା ପାଇଁ କହୁଥିଲେ ଗୋକୁଳ ନାନା ପ୍ରକାର ବାହାନା ଦେଖାଇ ଠକିବା ସହିତ ତାଙ୍କୁ ମାଡ଼ ମାରୁଥିଲେ । ଏପରିକି ତାଙ୍କ ବିବାହ ପାଇଁ କୌଣସି ପ୍ରସ୍ତାବ ଆସିଲେ ସେ ମନା କରିଦେଉଥିଲେ । ତେବେ ଗୋକୁଳଙ୍କ ସହ ତାଙ୍କ ସଂପର୍କ ବିଷୟରେ ତାଙ୍କ ଗାଁ ତଥା ଆଖପାଖ ଗାଁରେ ଲୋକେ ଜାଣି ସାରିଥିବା ଯୋଗୁଁ ତାଙ୍କ ମାନ ସମ୍ମାନ ହାନି ହୋଇଥିବା ସେ ମିଡ଼ିଆ ସାମ୍ନାରେ ପ୍ରକାଶ କରିଛନ୍ତି । ଏପରିକି ଅନ୍ୟ କୌଣସି ଯୁବକଙ୍କ ସହ ତାଙ୍କ ବାହାଘର ମଧ୍ୟ ଏବେ ସମ୍ଭବ ହୋଇପାରୁନାହିଁ । ଏତିକିବେଳେ ଗୋକୁଳ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରି ନିଜ ଘରେ ରଖିଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କର ଅନିଚ୍ଛା ସତ୍ବେ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରି ଯବାନ୍ ଜଣକ ତାଙ୍କୁ ପ୍ରତାରଣା ଦେଇଥିବା ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବେଲପଡ଼ା ଥାନାରେ ସେ ଅଭିଯୋଗ କରିଥିଲେ ବି ତାଙ୍କ ଅଭିଯୋଗ ପତ୍ର ଥାନାରେ ଫେରସ୍ତ କରି ଦିଆଯାଇଛି । ତେବେ ସଂପୃକ୍ତ ପ୍ରତାରକ ସିଆଇଏସଏଫ୍ ଯବାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପିଙ୍କୁ ଲିଖିତ ଭାବେ ସେ ଅନୁରୋଧ କରିଛନ୍ତି ।