
ଭଦ୍ରକ, ୧୬ ଅପ୍ରେଲ – ଭଦ୍ରକ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଅସିତ୍ ପଟ୍ଟନାୟକଙ୍କ ନାମ ଘୋଷଣା ପରେ ଚଳିତ ନିର୍ବାଚନରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ଦେଖାଦେଇଛି । କାହିଁକିନା ଏହି ନିର୍ବାଚନ ମଣ୍ଡଳୀରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଦଳ ପ୍ରାର୍ଥୀ କରିଛି । ଅନୁରୂପ ବିଜେପି ପକ୍ଷରୁ ନବାଗତ ଯୁବ ସମାଜସେବୀ ସୀତାଂଶୁ ଶେଖର ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି । ୭୬ ବର୍ଷୀୟ ଶ୍ରୀ ସାମଲ ଭଦ୍ରକରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିବା ମଧ୍ୟରେ ତିନିଥର ଭଦ୍ରକ ଏବଂ ତିନିଥର ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟଲାଭ କରିଛନ୍ତି । ୨୦୧୯ ନିର୍ବାଚନରେ ଶ୍ରୀ ସାମଲ ୭୦ ହଜାର ୧୮୦ ଖଣ୍ଡ ଭୋଟ ପାଇ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ସେ କଂଗ୍ରେସର ତତ୍କାଳୀନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଠାରୁ ୮୮୫୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟଲାଭ କରିଥିଲେ । ମାତ୍ର ୨୦୨୪ ରେ ବିଜେଡି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କୁ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରିଥିବାବେଳେ ଭଣ୍ଡାରିପୋଖରୀ ବିଧାନସଭାର ଶ୍ରୀ ସାମଲଙ୍କୁ ଭଦ୍ରକ ଆସନରେ ଲଢିବାର ସୁଯୋଗ ଦେଇଛି । ଏହାପଛରେ ଭଦ୍ରକ ପୌରାଞ୍ଚଳ ତଥା ନିର୍ବାଚନ ମଣ୍ଡଳୀରେ ଥିବା ସଂଖ୍ୟାଲଘୁ ଭୋଟ ବ୍ୟାଙ୍କକୁ ହାତେଇବା ମୁଖ୍ୟ ଲକ୍ଷ୍ୟ ବୋଲି ତଥ୍ୟାବିଜ୍ଞ ମହଲରୁ ଜଣାଯାଏ । ବିଗତ ନିର୍ବାଚନର ଫଳାଫଳକୁ ଲକ୍ଷ୍ୟ କଲେ ଜଣାଯାଏ ଯେଉଁ ଦଳ ସଂଖ୍ୟାଲଘୁ ଭୋଟବ୍ୟାଙ୍କକୁ ନିଜର କରିପାରିଛି, ସେ ଦଳର ବିଜୟ ସମ୍ଭାବନା ଅଧିକ ରହିଛି । ଏଠାରେ ସୂଚନାଯୋଗ୍ୟ ୨୦୨୨ ମସିହା ମାର୍ଚ୍ଚ ମାସରେ ଅନୁଷ୍ଠିତ ଭଦ୍ରକ ପୌରପାଳିକା ନିର୍ବାଚନରେ ବିଜେଡି ନେତୃତ୍ୱଙ୍କ ପୌରାଧ୍ୟକ୍ଷା ପ୍ରାର୍ଥୀ ଚୟନକୁ ବିରୋଧ କରି ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ଗୁଲମକ୍କୀ ଦଲୱାଜି ହବିବ ସ୍ୱାଧୀନ ପୌରାଧ୍ୟକ୍ଷା ପ୍ରାର୍ଥିନୀ ଭାବେ ବିଧାୟକ ସଂଜୀବ ମଲ୍ଲିକଙ୍କୁ ବିରୋଧ କରି ଶାସକ ବିଜେଡିର ପୌରାଧ୍ୟକ୍ଷା ପ୍ରାର୍ଥିନୀ ସମିତା ମିଶ୍ରଙ୍କୁ ୩୨୫୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ଯେଉଁଥିପାଇଁ ଦଳ ପକ୍ଷରୁ ଶ୍ରୀ ସାମଲ ଓ ଶ୍ରୀ ମଲ୍ଲିକଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀ ବଦଳାଇଥିଲେ ଦଳର ହାଇକମାଣ୍ଡ । ଶ୍ରୀ ସାମଲଙ୍କୁ ଦଳ ପ୍ରାର୍ଥୀ କରିବା ପଛରେ ଯେଉଁ କାରଣ ରହିଛି, ତାହା ହେଲା ଏକଦା ବିଜେଡିକୁ ଭଦ୍ରକରେ କଡା ଟକ୍କର ଦେଇ ପଛକୁ ଠେଲି ଦେଇଥିବା ପୌରାଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ, ପୁଣି ବିଜେଡି ଦଳକୁ ଫେରିବା । ଗୁଲମକ୍କୀଙ୍କ ବିଜୟ ପଛରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅସିତ୍ଙ୍କ ଦୃଢ ସମର୍ଥନ ଥିଲା । ଯାହାକି ସେତେବେଳେ ଶାସକ ବିଜେଡି ପାଇଁ ପ୍ରଚଣ୍ଡ ଘାତକ ସାବ୍ୟସ୍ତ ହୋଇଥିଲା । ପୌରପାଳିକାର ସଂଖ୍ୟାଧିକ ସଂଖ୍ୟାଲଘୁ ଭୋଟ ସହିତ ଅସିତ୍ଙ୍କ ଅଣସଂଖ୍ୟାଲଘୁ ଭୋଟ୍ର ସମର୍ଥନରେ ହିଁ ଗୁଲମକ୍କୀ ସାଇକେଲ ଚିହ୍ନରେ ସ୍ୱାଧୀନ ଭାବେ ବିଜୟଲାଭ କରିଥିଲେ । ତେବେ ଏକଦା କଂଗ୍ରେସର ଦୁର୍ଗ କୁହାଯାଉଥିବା ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦୁର୍ବଳ ନେତୃତ୍ୱ ଓ ତୀବ୍ର ଗୋଷ୍ଠୀ କନ୍ଦଳ ଯୋଗୁଁ ଦଳ ଏବେ ବିପର୍ଯ୍ୟୟମୁଖୀ ହୋଇପଡିଛି । ଏହି ସମୟରେ ବିଜେଡିରୁ ଭଦ୍ରକ ଆସନ ପାଇଁ ଆଶାୟୀ ଥିବା ଅସିତ୍ ପଟ୍ଟନାୟକ ନିରାଶ ହେବା ପରେ କଂଗ୍ରେସରେ ସାମିଲ ହୋଇ ପୁଣି ନିଜ ଘରକୁ ଫେରିଛନ୍ତି । ଦୀର୍ଘଦିନର ବ୍ୟବଧାନ ପରେ ସେ ତାଙ୍କର ପୁରୁଣା ଦଳ କଂଗ୍ରେସକୁ ଫେରିଥିବାରୁ ଭଦ୍ରକ ବିଜେଡି ଏକ ପ୍ରକାର ବିବାଦ ଶୂନ୍ୟ ହୋଇଛି । ଅସିତ୍ଙ୍କ ପିତା ବର୍ଷିୟାନ ଯୁଗଳ କିଶୋର ପଟ୍ଟନାୟକ ୮୦ ଦଶକରେ କଂଗ୍ରେସ ସରକାରରେ ମନ୍ତ୍ରୀ ଥାଇ ବେଶ୍ ପ୍ରତିଷ୍ଠା ପାଇଥିଲେ । ଅସିତ୍ ମଧ୍ୟ ନିଜର ରାଜନୈତିକ ଜୀବନ ଯୁବ କଂଗ୍ରେସରୁ ଆରମ୍ଭ କରିଥିଲେ ମଧ୍ୟ ତାଙ୍କ ପିତା ଯୁଗଳ ପଟ୍ଟନାୟକ ୨୦୦୪ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗଦେଇଥିଲେ । ସେତେବେଳେ ଯୁଗଳ ବିଜେଡିର ରିଙ୍ଗମାଷ୍ଟର କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ ସହ ଘନିଷ୍ଠତା ଯୋଗୁଁ ବିଜେଡିରେ ସାମିଲ ହୋଇଥିଲେ । ଏବଂ ୨୦୦୪ ନିର୍ବାଚନରେ ବିଧାୟକ ପ୍ରଫୁଲ୍ଲ ସାମଲ ନିର୍ବାଚନରେ ପରାଜୟ ବରଣ କରିବା ଏବଂ ଭଦ୍ରକ ଆସନର ଦଳୀୟ ଟିକେଟ୍ ପାଇଁ ପ୍ରଫୁଲ୍ଲ ଯୁଗଳ ବିବାଦ ମଧ୍ୟରେ ନିର୍ବାଚନ ମଣ୍ଡଳୀର ପୁନଃ ସୀମା ନିର୍ଦ୍ଧାରଣ ରାଜ୍ୟ ନେତୃତ୍ୱଙ୍କ ମୁଣ୍ଡବ୍ୟଥାକୁ ଉପଶମ କରିଥିଲା । ୨୦୦୯ ରେ ଭଣ୍ଡାରିପୋଖରୀ ଆସନ ଅସଂରକ୍ଷିତ ହେବା ପରେ ଶ୍ରୀ ସାମଲଙ୍କୁ ଭଣ୍ଡାରିପୋଖରୀ ଓ ଯୁଗଳଙ୍କୁ ଭଦ୍ରକ ଆସନରୁ ଟିକେଟ ମିଳିଥିଲା । ଏବଂ ଉଭୟ ନେତା ବିଜୟଲାଭ କରିଥିଲେ । ୨୦୧୯ ରେ ଅସିତ୍ ପଟ୍ଟନାୟକ ନିଜ ପିତାଙ୍କ ସ୍ଥାନରେ ପ୍ରାର୍ଥୀ ହେବାର ଆଶା ରଖିଥିବାବେଳେ ଶ୍ରୀ ସାମଲଙ୍କ ପୁତ୍ର ପୂର୍ବତନ ପୌରପାଳ ଇଂ ପ୍ରୟାସକାନ୍ତି ସାମଲଙ୍କ ସହ ତାଙ୍କର ବିବାଦ ନୂଆମୁହଁ ସଂଜୀବ ମଲ୍ଲିକଙ୍କୁ ଭଦ୍ରକ ପାଇଁ ଟିକେଟ୍ ଦେଇଥିଲା । ମାତ୍ର ସଂଜୀବ ମଲ୍ଲିକ ବିଧାୟକ ହେବା ପରେ ତାଙ୍କ ସହ ଅସିତ୍ଙ୍କର ବିବାଦ ପୁଣି ଘନେଇଥିଲା । ଯେଉଁଥିପାଇଁ ଚଳିତ ନିର୍ବାଚନରେ ଅସିତ୍ ବିଜେଡି ପାଇଁ ଭଦ୍ରକ ଆସନରୁ ଆଶାୟୀ ଥିଲେ ମଧ୍ୟ ଦଳ ନେତୃତ୍ୱ ତାଙ୍କୁ ଅଣଦେଖା କରିଥିଲା । ସେ ଯାହାହେଉନା କାହିଁକି ଅସିତ୍ କଂଗ୍ରେସରେ ଯୋଗଦେଇ ଟିକେଟ ହାତେଇବା ପରେ ନିଜର ଶକ୍ତି ପ୍ରଦର୍ଶନ କରିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏପରିସ୍ଥଳେ ବିଜେପି ତାର ପ୍ରାର୍ଥୀ ପରିବର୍ତ୍ତନ କରି ନୂଆମୁହଁ ତଥା ଯୁବ ନେତୃତ୍ୱ ସହୀଦ ଭଗତ ସେନାର ଆବାହକ ସୀତାଂଶୁ ମହାପାତ୍ରଙ୍କୁ ଦଳୀୟ ଟିକେଟ୍ ଦେଇଛି । ଗତ ୨୦୧୯ ନିର୍ବାଚନରେ ବିଜେପିର ଡାକ୍ତର ପ୍ରଦୀପ ନାୟକ ୬୦ ହଜାର ୨୬୯ ଭୋଟ ପାଇ କଂଗ୍ରେସ ବଦଳରେ ବିଜେଡିର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲେ । ତେବେ ସୀତାଂଶୁ ପୂର୍ବରୁ କୌଣସି ନିର୍ବାଚନ ଲଢିନଥିବାବେଳେ ବିଜେଡିର ଜଣେ ଟାଣୁଆ ଭେଟେରାନ ପ୍ରଫୁଲ୍ଲ ଓ କଂଗ୍ରେସ ଭଳି ଏକ ରାଜନୈତିକ ପରିବାରରୁ ଆସିଥିବା ଅସିତ୍ଙ୍କ ସହ କିଭଳି ମୁକାବିଲା କରିବେ, ତାହା ଦେଖିବାକୁ ବାକି ରହିଲା । ସେ ଯାହାହେଉନା କାହିଁକି ଏଥର ଭଦ୍ରକ ନିର୍ବାଚନ ମଣ୍ଡଳୀରେ ବିଗତ ନିର୍ବାଚନ ଭଳି ଦ୍ୱିମୁଖୀ ବଦଳରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିବ ।