ଭୁବନେଶ୍ୱର/ଢେଙ୍କାନାଳ, ୦୬ .୦୮.୨୦୨୪ – ବହୁ ପ୍ରତିକ୍ଷୀତ ତାଳଚେର ସାରଖାନାର ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟକ୍ତିଗତ ସ୍ତରରେ ହସ୍ତକ୍ଷେପ କରିବାକୁ ମଙ୍ଗଳବାର କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ।
ଓଡ଼ିଶା ବିଶେଷ ଭାବରେ ଅନୁଗୋଳ ଓ ଢେଙ୍କାନାଳବାସୀଙ୍କ ସ୍ୱାର୍ଥ ଉପରେ ଗୁରୁତ୍ୱାରୋପ କରି ପତ୍ରରେ ଶ୍ରୀ ପାଣି ଉଲ୍ଲେଖ କରିଛନ୍ତି ଯେ ତାଳଚେର ସାର କାରଖାନାର ପୁନରୁଦ୍ଧାର କାମରେ ବିଳମ୍ବ ପରିଲିକ୍ଷିତ ହୋଇଛି । ଦୁର୍ବଳ ହୋଇପଡିଥିବା ସାର ୟୁନିଟ୍ ଗୁଡ଼ିକର ପୁନରୁଦ୍ଧାର କରିବା ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ଏକ ନୀତିଗତ ପ୍ରାଥମିକତାରେ ରହିଛି । ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ତାଳଚେର ସାର କାରଖାନାକୁ ଗସ୍ତ କରିବା ସହ ପରିଦର୍ଶନ କରିଥିଲେ । ତେବେ କୋଭିଡ୍ ମହାମାରୀ କାରଣରୁ କାରଖାନାର ପୁନରୁଦ୍ଧାର କାମରେ ବିଳମ୍ବ ହୋଇଥିଲା । ବର୍ତ୍ତମାନ ଜାରି ରହିଥିବା କାରଖାନାର ନିର୍ମାଣ କାର୍ଯ୍ୟ ଧୀମା ଗତିରେ ଚାଲିଥିରୁ ଚିନ୍ତାପ୍ରକଟ କରିବା ସହ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ସେ ପତ୍ରରେ ଉଲ୍ଲେଖ କରିଛନ୍ତି ।
ଦେଶର ପ୍ରଥମ କୋଲ ଗ୍ୟାସିଫିକେସନ ଟେକ୍ନୋଲୋଜି ଆଧାରିତ ତାଳଚେର ସାର କାରଖାନା ୟୁରିଆ ଉତ୍ପାଦନ କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବୀ କରିବ । ଏହାଦ୍ୱାରା ଚାଷୀମାନେ ଉପକୃତ ହେବା ହେବା ସହ ସର୍ବାଧିକ ବ୍ୟବହୃତ ହେଉଥିବା ସାର ୟୁରିଆର ଆମଦାନୀ ହ୍ରାସ ହୋଇପାରିବ । ତାଳଚେର ସାର କାରଖାନା ରାଜ୍ୟର ସାର ଓ ଅନ୍ୟାନ୍ୟ ଶିଳ୍ପକୁ ବ୍ୟାପକ ପ୍ରୋତ୍ସାହନ ଦେଇ ଓଡ଼ିଶାର ଶିଳ୍ପ ଓ ଆର୍ଥିକ ଅଭିବୃଦ୍ଧି ଦିଗରେ ପ୍ରଗତି ଓ ସମୃଦ୍ଧିର ଏକ ନୂଆ ପଥ ତିଆରି କରିବ । ଏହା ଓଡ଼ିଶାର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା । ଏହି ପରିପ୍ରେକ୍ଷୀରେ ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ସାଂସଦ ଶ୍ରୀ ପାଣି କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଜେପି ନଡ୍ଡାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ।