ବେଗୁସରାୟ : ବିହାରର ବେଗୁସରାୟରେ ଶିବଲିଙ୍ଗ ଭଙ୍ଗାଯିବାକୁ ନେଇ ତୁମୂଳକାଣ୍ଡ । ଶିବଲିଙ୍ଗ ଭଙ୍ଗାଯିବା ପରେ ସ୍ଥାନୀୟ ଅଞ୍ଚଳ ଅଶାନ୍ତ ହୋଇପଡିଛି । ଲାଖୋ ଥାନା ଅନ୍ତର୍ଗତ ଖାତୋପୁର ଚୌକ ନିକଟରେ ଏଭଳି ଘଟଣା ଘଟିଛି । ଶିବଲିଙ୍ଗ ଭାଙ୍ଗାଯିବା ପରେ ଲୋକେ ଉତ୍ତ୍ୟକ୍ତ ହୋଇ ଭଙ୍ଗାରୁଜା କରିବା ସହ ଅଭିଯୁକ୍ତର ଗିରଫଦାରି ଦାବି କରିଛନ୍ତି । ଲୋକଙ୍କ ତୁମୂଳକାଣ୍ଡ ଯୋଗୁ 31 ନମ୍ବର ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇପଡିଛି ।
ଖବର ମୁତାବକ ଖାତୋପୁର ଚୌକ ନିକଟରେ 1944 ମସିହାରୁ ଏଠାରେ ଥିବା ମନ୍ଦିରରେ ଶିବଲିଙ୍ଗ ପୂଜା ପାଉଥିଲେ । ତେବେ ଶିବ ମନ୍ଦିର ଆଖପାଖ ଅଞ୍ଚଳରେ ଅଧିକାଂଶ ମୁସଲିମ୍ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ଏପରିକି ଏହି ମନ୍ଦିର ନିକଟରେ ମାଂସ ଦୋକାନ ଥିବା ମଧ୍ୟ ସୂଚନା ମିଳିଛି । ମୁସଲିମ ସମ୍ପ୍ରଦାୟର ଲୋକେ ମନ୍ଦିରରେ ବସି ମଦ ପିଉଥିବାର ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମାଂସର ଅବଶେଷ ମନ୍ଦିର ପରିସରରେ ଫିଙ୍ଗି ଏହାକୁ ଅପବିତ୍ର ମଧ୍ୟ କରୁଥିବା ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ସେମାନଙ୍କୁ ମନା କରିଥିଲେ ମଧ୍ୟ ସେମାନେ ଏହାକୁ ଗ୍ରହଣ କରିନଥିଲେ । ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ମୁସଲିମ ସମ୍ପ୍ରଦାୟର ଲୋକେ ମନ୍ଦିରରେ ବସି ମଦ ପିଇବା ପରେ ଶିବଲିଙ୍ଗକୁ ଭାଙ୍ଗି ଦେଇଛନ୍ତି । ବିରୋଧ କରିବା ସତ୍ତ୍ୱେ ସେମାନେ ନମାନି ଗାଳିଗୁଲଜ କରିଥିଲେ । ତେବେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି । କିନ୍ତୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି ।
ଏସପି ଯୋଗେନ୍ଦ୍ର କୁମାର କହିଛନ୍ତି ଯେ, ରାତି 11ଟା ପରେ ଏହି ଘଟଣା ଘଟିଛି । ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଛି । ଶିବଲିଙ୍ଗକୁ ପୂର୍ବବତ କରିବାକୁ ଉଦ୍ୟମ କରାଯାଉଛି । ଆଖପାଖ ଅଞ୍ଚଳର ସିସିଟିଭି ଯାଞ୍ଚ କରାଯାଇଛି । ଘଟଣାରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି ।