ମାଲକାନଗିରି : ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ଘରେ ଘରେ ତ୍ରିରଙ୍ଗା ପତାକା ଉଡିବ । ସେଥିପାଇଁ ମାଲକାନଗିରି ଜିଲ୍ଲାର ଅନେକ ସ୍ଵୟଂ ସହାୟକ ଗୋଷ୍ଠୀକୁ ସରକାରଙ୍କ ପକ୍ଷରୁ ୧ ଲକ୍ଷ ଜାତୀୟ ପତାକା ସିଲେଇ କରିବାକୁ କାର୍ଯ୍ୟାଦେଶ ମିଳିଛି। ଜିଲ୍ଲାର ସିଲେଇ ଶିଖିଥିବା ୯ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ମାନଙ୍କୁ ଏକଲକ୍ଷ ଜାତୀୟ ପତାକା ସିଲେଇ ପାଇଁ ଦିଆଯାଇଥିଲା । ଜିଲ୍ଲାର ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି କାର୍ଯ୍ୟ ପାଇଁ ରୋଜଗାରକ୍ଷମ ହେବା ସହ ମହିଳାମାନେ ସ୍ବାବଲମ୍ବୀ ହୋଇ ପାରିଥିବାରୁ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି। ଜିଲ୍ଲାର ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ କରିବାକୁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଥିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଫାଇଭ-ଟି ସଚିବଙ୍କୁ ମାଲକାନଗିରି ଜିଲ୍ଲାର ଏହି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଧନ୍ୟବାଦ ଜ୍ଞାପନ କରିଛନ୍ତି । ମାଲକାନଗିରି ଭଳି ଜିଲ୍ଲାରେ ମହିଳା ମାନଙ୍କୁ ଆଗକୁ ଆସିବା ଓ ରୋଜଗାରକ୍ଷମ ହେବା ପାଇଁ ବିଶେଷ କୌଣସି ସୁଯୋଗ ନଥିବା ବେଳେ ରାଜ୍ୟ ସରକାରଙ୍କ ଏହି ପ୍ରୟାସ ଯୋଗୁଁ ଜିଲ୍ଲାରେ ଅନେକ ମହିଳା ସ୍ଵାବଲମ୍ବୀ ହୋଇ ପଡ଼ିଥିବା ଏବଂ ବିଗତ ଦିନରେ ଅନେକ ମହିଳା ଆହୁରି ଅନେକ ଯୋଜନରେ କାର୍ଯ୍ୟ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ବୋଲି ପ୍ରକାଶ କରିଛନ୍ତି ।