କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ତହସିଲ ଅଧିନ ବଉଳକଣି ପଂଚାୟତର ବଡତୋଟା ଛପାଲୀ ଗ୍ରାମରେ ଖାତା ନଂ-୫୭୫ ରେ ଥିବା ଏକ ସରକାରୀ ନଳକୂପକୁ ସେହି ଗ୍ରାମର ଜଣେ ପୂର୍ବତନ ଶିକ୍ଷକ ଓ ତାଙ୍କ ପରିବାର ଜବରଦଖଲ କରିବା ସହ ଅନ୍ୟ କେତେକ ପ୍ରଭାବଶାଳୀ ବ୍ୟକ୍ତି ଗ୍ରାମ ଲାଇବ୍ରେରୀ ଜାଗାକୁ ଜବରଦଖଲ କରିଥିଲେ । ଏନେଇ ଗ୍ରାମାବସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମହାକାଳପଡା ତହସିଲଦାର ମାନଓ ରଞ୍ଜନ ତ୍ରିପାଠୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ବାରଡାଙ୍ଗ ଆରଆଇ ତନ୍ମୟା ମୁର୍ମୁ ଗ୍ରାମବାସୀଙ୍କ ଉପସ୍ଥିତିରେ ଏହି ଅଭିଯୋଗର ତଦନ୍ତ କରି ଜବରଦଖଲ କରିଥିବା ବ୍ୟକ୍ତି ମାନଙ୍କ ପାଇଁ ନଳକୂପ ଅଚଳ ହୋଇ ଗାଁ ଲୋକେ ଜଳକଷ୍ଟ ଭୋଗିବା ସହ ଜବରଦଖଲ ଯୋଗୁଁ ଜଳ ନିଷ୍କାସନ ପଥ ଅବରୋଧ ହୋଇଥିବାରୁ ସମସ୍ୟା ସୃଷ୍ଟି ହୋଇଛି । ଏହି ରିପୋର୍ଟ ଆଧାରରେ ତହସିଲଦାର ଶ୍ରୀ ତ୍ରିପାଠୀ ଚଳିତ ମାସ ୨୫ ତାରିଖରେ ଗ୍ରାମାବସୀଙ୍କ ଉପସ୍ଥିତିରେ ଜବରଦଖଲ ମାପଚୁପ କରି ସରକାରୀ ଜାଗା ଫେରାଇ ଦେବାକୁ ନୋଟିସ୍ ଜାରି କରିଛନ୍ତି । ଏହାକୁ ନେଇ ଗ୍ରାମବାସୀ ମାନେ ତହସିଲଦାରଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଛନ୍ତି ।