ସୁକିନ୍ଦା/ଯାଜପୁର/ଭୁବନେଶ୍ୱର : ମୋଦି ସରକାର ମହିଳାଙ୍କ କଲ୍ୟାଣ ପାଇଁ ବିପୁଳ ଅର୍ଥ ଓଡ଼ିଶାକୁ ପଠାଛନ୍ତି । ଅର୍ଥର ଅଭାବ ନାହିଁ । ମାତ୍ର ଏହି ଅପାରଗ ଓ ଦୁର୍ନୀତିଗ୍ରସ୍ତ ଓଡ଼ିଶା ସରକାରଙ୍କ ଶାସନରେ ବିନା ହାତଗୁଞ୍ଜାରେ ବାର୍ଧକ୍ୟ ଭତ୍ତା ଓ ମନରେଗା ଟଙ୍କା ମିଳୁନାହିଁ ବୋଲି ବୁଧବାର ମା’ ବିରଜାଙ୍କ କ୍ଷେତ୍ର ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନମଣ୍ଡଳୀ ଠାରେ ଆୟୋଜିତ ‘ସୁରକ୍ଷା ବନ୍ଧନ ଉତ୍ସବ’ରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇବା ସହ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାରରେ ମାଆ ଭଉଣୀ ମାନେ ପୁଣିଥରେ ସଶକ୍ତ ହେଉଛନ୍ତି । ମୋଦିଜୀଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ମହିଳାଙ୍କ ପାଇଁ ହୋଇଥିବା ଉଜ୍ଜ୍ୱଳା ଯୋଜନା ସମେତ ଜନଧନ ଯୋଜନା, ମୁଦ୍ରା ଋଣ, ଗରିବ କଲ୍ୟାଣ ଅନ୍ନ ଯୋଜନା,ସ୍ୱଚ୍ଛ ଭାରତ ଯୋଜନା, ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାର ନିଷ୍ପତି ଦ୍ୱାରା ମହିଳାମାନେ ନିଜ ପରିଚୟ ନିଜେ ତିଆରି କରୁଛନ୍ତି । ଗ୍ରାମୀଣ ମହିଳାଙ୍କୁ ଉଦ୍ୟୋଗୀ କରିବା ପାଇଁ ଏନଆରଏଲଏମ ଭଳି ଯୋଜନା ହୋଇଛି । ତେବେ ଓଡ଼ିଶା ସରକାର କାହା ପଇସାରେ ମିଶନ ଶକ୍ତି ଚଲାଇଛନ୍ତି ? ମୋଦି ସରକାରଙ୍କ ପୂର୍ବରୁ ଭାରତ ସରକାରଙ୍କ ଏନଆରଏଲଏମ ଅଧୀନରେ ୨୦୧୪ ସୁଦ୍ଧା ୧୪ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରାୟ ୩୮୭ କୋଟି ଟଙ୍କା ଋଣ ମିଳିଥିଲା । ଆଜି ମୋଦି ସରକାରରେ କମ ସୁଧରେ ଓଡ଼ିଶାର ପ୍ରାୟ ୪୦ ଲକ୍ଷ ଏସଏଚଜି ମହିଳାଙ୍କୁ ପ୍ରାୟ ୨୫ ହଜାର କୋଟି ଟଙ୍କା ଋଣ ମିଳିଛି । ଆଗରୁ ମୋଦି ଦେଉଥିବା ଚାଉଳକୁ ରାଜ୍ୟ ସରକାର ୧ ଟଙ୍କାରେ ଦେଉଥିଲେ । ଏବେ ମୋଦି ସରକାର ତାହାକୁ ମାଗଣାରେ ମୁଣ୍ଡ ପିଛା ୫ କେଜି ଚାଉଳ ଦେଉଛନ୍ତି । ଅପରପକ୍ଷରେ ଯେଉଁ ଯାଜପୁର ଓ ସୁକିନ୍ଦାର ପଇସାରେ ଅଧା ଓଡ଼ିଶା ଚଳେ, ସେହି ସୁକିନ୍ଦା ଆଜି ବେରୋଜଗାରୀର ପ୍ରତୀକ ହୋଇଛି । ଯାଜପୁର ସମେତ ଓଡ଼ିଶାରେ ରାଜ୍ୟରେ ରାଜନୈତିକ ଆନ୍ଦୋଳନ ମାଧ୍ୟମରେ ଅପାରଗ, ଦୁର୍ନୀତିଗ୍ରସ୍ତ, ମାମୁ ଭଣଜାର ସରକାର,ବଂଶବାଦ, ପରିବାରବାଦ, ଭ୍ରଷ୍ଟାଚାରକୁ ମୁକ୍ତ କରିବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପୂର୍ବରୁ ଓଡ଼ିଶାକୁ ଜିଏସଟି ସଂଗ୍ରହ, ଖଣି ରାଜସ୍ୱ ଓ ଆର୍ଥକ କ୍ଷେତ୍ରରେ ଅନୁଦାନ ବାବଦକୁ ୩ ଲକ୍ଷ କୋଟି ଟଙ୍କା ଆସିଥିବା ବେଳେ ବିଗତ ୯ ବର୍ଷରେ ଓଡ଼ିଶାକୁ ମୋଦି ସରକାରରେ ୧୮ ଲକ୍ଷ କୋଟି ଟଙ୍କା ଆସିଛି । ମହିଳାମାନେ ବଡ ବ୍ୟବସାୟ କରିବା ସହ ଏମଏସଏମଇ ସମେତ ଏଆଇ କ୍ଷେତ୍ରରେ କାମ କରିବାର ସ୍ୱପ୍ନ ଉଜ୍ଜିବୀତ ହୋଇଛି । ସବୁ କ୍ଷେତ୍ରରେ ମାଆ ମାନଙ୍କର ଜନଭାଗିଦାରୀ ଶୀର୍ଷରେ ରହିଛି । ଚନ୍ଦ୍ରଯାନ- ୩ର ସଫଳ ଲ୍ୟାଣ୍ଡିଂ ପଛରେ ମହିଳା ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କର ଯୋଗଦାନ ନାରୀ ସଶକ୍ତିକରଣରେ ନୂଆ ପରିଚୟ ତିଆରି ହୋଇଛି । ଦେଶର ମାତୃଶକ୍ତିଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧ ।
ଉଜ୍ଜ୍ୱଳା ସମେତ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନା ଓଡ଼ିଶା ସମେତ ଭାରତବର୍ଷର ମହିଳାଙ୍କ ଜୀବନକୁ ସୁରକ୍ଷିତ କରିଛି । ମୋଦିଜୀ ୨୦୧୪ରେ ଦେଶର ଦାୟିତ୍ୱ ନେବା ପରେ ମହିଳାଙ୍କ ପାଇଁ ମୋ ସରକାର ସମର୍ପିତ ରହିବ ବୋଲି କହିଥିଲେ । ଏହା ଭାଷଣ ନଥିଲା, ଏହା ଥିଲା ଏକ ସଂକଳ୍ପ, ଯାହା ବାସ୍ତବରେ ପରିଣତ ହେଉଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଆ ଭଉଣୀଙ୍କୁ ରାକ୍ଷୀରେ ଏକ ବଡ଼ ଉପହାର ଭାବରେ ଦେଇଛନ୍ତି । ରୋଷେଇ ଗ୍ୟାସର ମୂଲ୍ୟ ୨୦୦ ଟଙ୍କା କମ କରିବା ସହ ପିଏମ ଉଜ୍ଜ୍ୱଳା ଯୋଜନାରେ ଅଧିକ ୭୫ ଲକ୍ଷ ମାଆ ଭଉଣୀଙ୍କୁ ଯୋଡିବାର ଏକ ଯୁଗାନ୍ତକାରୀ ନିଷ୍ପତି ନେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଉଜ୍ଜ୍ୱଳା ଯୋଜନାର ସଫଳ ରୂପାୟନ କାରଣରୁ ଅନେକ ମାଆ ମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସୁରକ୍ଷିତ ହୋଇଛି । ପୂର୍ବରୁ ବର୍ଷକୁ ଦେଶର ୫ ଲକ୍ଷ ମହିଳାମାନେ କାଠ ଚୁଲିରେ ରୋଷେଇ କରି ଧୂଆଁ କାରଣରୁ ରୋଗାକ୍ରାନ୍ତ ହେଉଥିଲେ । ମାତ୍ର ଏବେ ଏହି ସମସ୍ୟା ଧୂର ହୋଇଛି । ୨୦୧୪ ସୁଦ୍ଧା ଦେଶରେ ବାସ୍ତବିକ ୧୪ କୋଟି ଏଲପିଜି ହିତାଧିକାରୀ ଥିବା ବେଳେ ବିଗତ ୯ ବର୍ଷରେ ମୋଦି ସରକାରରେ ଏହି ସଂଖ୍ୟା ବୃଦ୍ଧି ପାଇଁ ୩୩ କୋଟିରେ ପହଂଚିଛି । ନୂଆ ଉଜ୍ଜ୍ୱଳା ହିତାଧିକାରୀ ଯୋଡିହେଲେ ଓଡ଼ିଶାରେ ୧ କୋଟି ବା ଶତପ୍ରତିଶତ ଏଲପିଜି ସଂଯୋଗୀକରଣ ହେବ । ଏଥିପାଇଁ ଏହି ମାଆ ବିରଜାଙ୍କ ମାଟିରୁ ଓଡ଼ିଶାର ପ୍ରତ୍ୟେକ ମାଆ ମାନଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ଉଲ୍ଲେଖନୀୟ ଯେ ଏହି କାର୍ଯ୍ୟକ୍ରମରେ ମହିଳାମାନେ କେନ୍ଦ୍ରମନ୍ତ୍ରୀଙ୍କ ହାତରେ ରାକ୍ଷୀ ଭିଡିଥିଲେ । ଏହା କାର୍ଯ୍ୟକ୍ରମ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଯାଜପୁରର ନଟପଡା ସ୍ଥିତ ସେଂଟ ଜାଭିୟର ଇଂଟରନ୍ୟାସନାଲ ସ୍କୁଲ ପରିସରରେ ମୋ ମାଟି ମୋ ଦେଶ ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରିବା ସହ ଛାତ୍ରଛାତ୍ରୀଙ୍କୁ ‘ପାଂଚଟି ସଂକଳ୍ପ’ର ଶପଥ ପାଠ କରାଇଥିଲେ । ଏହି ଗସ୍ତ କାଳରେ ଯାଜପୁରର ବଡ଼ଚଣା, ବରି, କୋରେଇ ଓ ଧର୍ମଶାଳା ସମେତ ବିଭିନ୍ନ ନିର୍ବାଚନମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀଙ୍କ ଜନସାଧାରଣ ଓ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିବା ସହ ଭଉଣୀମାନେ ରାକ୍ଷୀ ଭିଡିଥିଲେ ।