ସମ୍ବଲପୁର- ମହାନଦୀର ଉପର ମୁଣ୍ଡରେ ଛତିଶଗଡ ବ୍ୟାରେଜ୍ ନିର୍ମାଣ କରିଛି । ବ୍ୟାରେଜ୍ ଯୋଗେ ପାଣିକୁ ଅଟକାଇ ରଖୁଛି । ଫଳରେ ଓଡିଶାରେ ମହାନଦୀ ଶୁଖିଲା ପଡିଛି । ଆବଶ୍ୟକ ସମୟରେ ଛତିଶଗଡ ପାଣି ଛାଡୁନାହିଁ । ଯେଉଁ ସମୟରେ ପାଣି ଛାଡୁଛି, ତାହା ବୋହି ସିଧାସଳଖ ସମୁଦ୍ରକୁ ଯାଉଛି । ହୀରାକୁଦ ପରେ ମୁଣ୍ଡଳୀ ଓ ଯୋବ୍ରାକୁ ଛାଡିଦେଲେ ପାଣି ରୋକିବା ପାଇଁ କୌଣସି ସ୍ଥାନରେ ଆନିକଟ ବା ବ୍ୟାରେଜ୍ ନାହିଁ । ଏଭଳି ସ୍ଥଳେ ମହାନଦୀ ଉପରେ ବ୍ୟାରେଜ୍ ନିର୍ମାଣ କରିବା ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଛି । ଏହାକୁ ଦୃଷ୍ଟିରେ ରଖି ଜଳସେଚନ ବିଭାଗ ମହାନଦୀ ଉପରେ ୨ଟି ବ୍ରିଜ୍ ସହ ବ୍ୟାରେଜ୍ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛି । ଏଥିସହ ସମ୍ବଲପୁରର ଐତିହାସିକ ଅଯୋଧ୍ୟା ସରୋବରର ବିକାଶ କରିବା ସହ ଏକ ବ୍ୟାରେଜ୍ ନିର୍ମାଣ ପାଇଁ ସମ୍ବଲପୁର ଜଳସେଚନ ବିଭାଗକୁ ଚିଠି ଲେଖାଯାଇଛି । ଫଳରେ ବିଭାଗ ସର୍ଭେ କାମ ଆରମ୍ଭ କରିଛି । ଏହି ମାସ ଶେଷ ସୁଦ୍ଧା ସର୍ଭେ କାମ ଶେଷ ହେବ ବିଭାଗ ପକ୍ଷରୁ ଜଣାପଡିଛି ।
ମହାନଦୀରେ ବ୍ରିଜ୍ ସହ ବ୍ୟାରେଜ୍ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରାଯାଉଛି । ରାଜ୍ୟ ଜଳସେଚନ ବିଭାଗ ନିର୍ଦ୍ଦେଶ କ୍ରମେ ସର୍ଭେ କାମ ଆରମ୍ଭ ହୋଇଛି । ଦେଓଗାଁ ଓ ମାନେଶ୍ଵରରେ ଏହା ନିର୍ମାଣ ହେବ । ଅଧିକ ପାଣି ରହିବା ସ୍ଥାନକୁ ସର୍ଭେ ସମୟରେ ଗୁରୁତ୍ବ ଦିଆଯାଉଛି । ଏଥିସହ ଯେଭଳି କୌଣସି ପରିବାର ବିସ୍ଥାପିତ ନହୁଅନ୍ତି ସେନେଇ ମଧ୍ୟ ଦୃଷ୍ଟି ଦିଆଯାଇଛି । ଅନ୍ୟପଟେ ସମ୍ବଲପୁର ସହର ରିଂରୋଡ୍ କଡରେ ଥିବା ୬୦ଦଶକର ଆନିକଟ୍(ଅଯୋଧ୍ୟା ସରୋବର) ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ସମୟରେ ଘାଇ ସୃଷ୍ଟି ହେଉଛି । ଏହାର ପୁନରୁଦ୍ଧାର ପାଇଁ ମଧ୍ୟ ସର୍ଭେ କରାଯାଉଛି । ତେବେ ଏହାକୁ ବିକଶିତ କରିବା ସହ ଏକ ନୂତନ ବ୍ୟାରେଜ୍ ନିର୍ମାଣ କରାଯିବାକୁ ନିଷ୍ପତି ନିଆଯାଇଛି । ସମ୍ବଲପୁର ମହାନଦୀରେ ୧୯୬୩-୬୪ ମସିହା ବେଳକୁ ଏହି ଆନିକଟ୍ ନିର୍ମାଣ ହୋଇଥିଲା । ତତ୍କାଳୀନ ରାଜ୍ୟପାଳ ଅଯୋଦ୍ଧାନାଥ ଖୋସଲାଙ୍କ ନାମ ଅନୁସାରେ ଏହାର ନାମ ଅଯୋଧ୍ୟା ସରୋବର ନାମରେ ନାମିତ କରାଯାଇଛି । ଏହା ପ୍ରାୟ ୧୭୦୦ ମିଟର ଲମ୍ବ ଓ ହାରାହାରି ୨ ମିଟର ଉଚ୍ଚତା ବିଶିଷ୍ଟ ଅଟେ । ଆନିକଟ୍ ର ପୁନରୁଦ୍ଧାର ପାଇଁ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଡିଜାଇନ ପ୍ରସ୍ତୁତ କରାଯାଇଥିଲା । ମୋଟ୍ ୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା । ମାତ୍ର ତାହା ଫାଇଲ୍ ତଳେ ଚାପି ହୋଇ ରହିଥିଲା । ୨୦୨୨ ମସିହା ଅକ୍ଟୋବର ମାସରେ ଏକ ବଡ ଧରଣର ଘାଇ ସୃଷ୍ଟି ହେବା ପରେ ଜଳସମ୍ପଦ ବିଭାଗ ଏକ ସୁଉଚ୍ଚ ଆନିକଟ୍ ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ କରିଛି ।
ମହାନଦୀର ପାଣିକୁ ଅଟକାଇବା ପାଇଁ ବିଭିନ୍ନ ସମୟରେ ସରକାର ପ୍ରସ୍ତାବିତ ବ୍ୟାରେଜ୍ ନିର୍ମାଣ ପାଇଁ ଏକାଧିକ ସ୍ଥାନ ଚୟନ କରିଥିଲେ । ୧୯୬୦ ମସିହାରେ ହୀରାକୁଦ ଜଳଭଣ୍ଡାରର ୨ୟ ୟୁନିଟ୍ ଭାବେ ଟିକରପଡା ଠାରେ ମହାନଦୀର ଜଳଭଣ୍ଡାର ନିର୍ମାଣ ପାଇଁ ଯୋଜନା ଆରମ୍ଭ ହୋଇଥିଲା । ଏହାର ଜଳପତନ ୧୩୧ମିଟର ରଖାଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏଥିରେ ମଣିଭଦ୍ରା ବନ୍ଧକୁ ମଧ୍ୟ ଗୁରୁତ୍ବ ଦିଆଯାଇଥିଲା । ମହାନଦୀର ତ୍ରିକୋଣ ଭୂମି ଅଂଚଳରେ ବନ୍ୟା ନିୟନ୍ତ୍ରଣ ଓ ବିଦ୍ୟୁତ୍ ଉତ୍ପାଦନକୁ ଦୃଷ୍ଟିରେ ରଖି ଏହି ଯୋଜନା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ମାତ୍ର ବିଭିନ୍ନ ସ୍ଥାନରେ ବିରୋଧ ଯୋଗୁଁ ଏହି ଯୋଜନା ଶୀତଳଭଣ୍ଡାରରେ ପଡି ରହିଛି । ପରବର୍ତୀ ସମୟରେ ଜଳଭଣ୍ଡାର ପରିବର୍ତେ ବ୍ୟାରେଜ୍ ନିର୍ମାଣ ପାଇଁ ଦାବି ହୋଇଥିଲା । ଅନ୍ୟପଟେ ଛତିଶଗଡ ସରକାର ମହାନଦୀରେ ବନ୍ଧ ଓ ବ୍ୟାରେଜ୍ ନିର୍ମାଣ କରି ଜଳକୁ ଅଟକାଇବା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି ।