ଭୁବନେଶ୍ୱର : ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ୩ ବର୍ଷ ପୂର୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୋମବାର ଓଡିଶାର ୫ଟି ସହର ସମେତ ଅନ୍ୟ ୧୩ଟି ସହରର ୧୪୯ଟି ୱାର୍ଡରେ ୨୪ ଘଂଟିଆ ଜଳ ଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ଯେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମରେ ଜନସାଧାରଣ ଟ୍ୟାପରୁ ସିଧାସଳଖ ବିଶୁଦ୍ଧ ପିଇବା ପାଣି ପାଇପାରୁଛନ୍ତି । ଏଥିରେ ଟ୍ୟାପ ପାଣିକୁ ଫିଲ୍ଟର କରିବାର ଆବଶ୍ୟକ ନାହିଁ ।
ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍ଭେନ୍ସନ୍ ସେଂଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଜଳ ଅମୂଲ୍ୟ । ପ୍ରତିଟି ଜଳବିନ୍ଦୁରେ ରହିଛି ଜୀବନ । ତେଣୁ ସମସ୍ତଙ୍କୁ ଭଲ ପିଇବା ପାଣି ଯୋଗାଇବା ଆମ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଲକ୍ଷ୍ୟ । ଓଡିଶା ଆଜି ରୂପାନ୍ତର ପଥରେ ସଫଳତା ସହ ଆଗେଇ ଚାଲିଛି । ୫ଟି ଉପକ୍ରମ ପ୍ରୟୋଗରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ଆଜି ସାରା ଦେଶ ପାଇଁ ଓଡିଶା ଏକ ମଡେଲ ହୋଇଛି । ଆମ ଜଳସାଥୀ ମା’ ମାନଙ୍କ ସଫଳତା ମଧ୍ୟ ଆଜି ଅନ୍ୟମାନଙ୍କ ପାଇଁ ମଡେଲ ହୋଇଛି । ପ୍ରେରଣାଦାୟୀ ସଫଳ କାହାଣୀ ହୋଇଛି । ସହରାଂଚଳ ଜଳଯୋଗାଣ କ୍ଷେତ୍ରରେ ଆମ ମିଶନ ଶକ୍ତି ମା’ ମାନେ, ଜଳସାଥୀମାନେ ବହୁତ ଭଲ କାମ କରୁଛନ୍ତି । ଆହୁରି ମଧ୍ୟ ୱାଟକୋ ତା’ର ଉତ୍ସର୍ଗିକୃତ ଉଦ୍ୟମ ବଳରେ ଓଡିଶାର ଜଳଯୋଗାଣ କ୍ଷେତ୍ରରେ ବ୍ୟାପକ ରୂପାନ୍ତର ଆଣି ଆମ ଦେଶ ତଥା ଅନ୍ୟାନ୍ୟ ପ୍ରଗତିଶୀଳ ଦେଶମାନଙ୍କ ମଧ୍ୟରେ ପାନୀୟ ଜଳଯୋଗାଣ କ୍ଷେତ୍ରରେ ଏକ ନୂତନ ବେଂଚମାର୍କ ସ୍ଥାପନ ପାଇଁ କାର୍ଯ୍ୟ ଜାରି ରଖି ରାଜ୍ୟକୁ ଗୌରାବନ୍ୱିତ କରୁଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।
ସୂଚନାଯୋଗ୍ୟ ଯେ ଆଜି ମୁଖ୍ୟମନ୍ତ୍ରୀ ୫ଟି ସହର ଯଥା- ରାଇରଙ୍ଗପୁର, ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର ଓ ନିମାପଡାକୁ ୨୪ ଘଂଟିଆ ପାନୀୟ ଜଳଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି । ଏସବୁ ସହରଗୁଡିକର ପ୍ରାୟ ୩୦ ହଜାର ପରିବାରର ୧.୮୦ ଲକ୍ଷ ଲୋକ ଏହା ଦ୍ୱାରା ଉପକୃତ ହେବେ । ସେହିପରି ୧୩ଟି ପୌରାଂଚଳ ଯଥା- ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସୁନ୍ଦରଗଡ, କେନ୍ଦୁଝର, ବ୍ୟାସନଗର, ଖୋର୍ଦ୍ଧା, ଜଟଣୀ, ଆନନ୍ଦପୁର, ଯୋଡା, ବଡବିଲ ଏବଂ ହିଞ୍ଜଳିକାଟୁର ୧୪୯ଟି ୱାର୍ଡ ପାଇଁ ଏହି ସୁବିଧା ଆରମ୍ଭ କରାଯାଇଛି । ଏସବୁ ୱାର୍ଡର ପ୍ରାୟ ୧୦.୫୦ ଲକ୍ଷ ଜନସାଧାରଣ ଏହା ଦ୍ୱାରା ଉପକୃତ ହେବେ । ୨ ଲକ୍ଷରୁ ଉର୍ଦ୍ଧ୍ୱ ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ସୁବିଧା ମିଳିବ । ଏହି ୧୩ଟି ପୌରାଂଚଳର ଅବଶିଷ୍ଟ ୱାର୍ଡମାନଙ୍କୁ ଜଳଯୋଗାଣ ପାଇଁ କାର୍ଯ୍ୟ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ଏସବୁ ୱାର୍ଡବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଲେ ଯେ ୨୪ ଘଂଟିଆ ବିଶୁଦ୍ଧ ପାନୀୟ ଜଳଯୋଗାଣ ଦ୍ୱାରା ଗରିବ ଓ ଦୁର୍ବଳ ଅର୍ଥନୈତିକ ବର୍ଗର ଲୋକମାନେ ବିଶେଷ ଉପକୃତ ହେବେ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଓଡିଶା ଆଜି ଅନ୍ୟ ରାଜ୍ୟ ଓ ଦେଶମାନଙ୍କ ପାଇଁ ଆଦର୍ଶ ହୋଇ ପାରିଛି ।
ଯୁକ୍ତରାଜ୍ୟ ଇଂଲଣ୍ଡର ଆନ୍ତର୍ଜାତିକ ଜଳସଂଘର ଏକଜିକ୍ୟୁଟିଭ୍ ଡାରେକ୍ଟର ଡ. କଳାନିଥି ଭୈରଭମୂର୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଲେ ଯେ ଓଡିଶାରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମ ଏକ ଅନନ୍ୟ ଉଦାହରଣ । ତାଙ୍କ ଜୀବନକାଳ ମଧ୍ୟରେ ଭାରତରେ ଏଭଳି ବ୍ୟବସ୍ଥା ହୋଇପାରିବ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ଦୃଢ ରାଜନୈତିକ ଓ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଟେକ୍ନଲୋଜିର ପ୍ରୟୋଗଯୋଗୁ ଏହା ଅଧିକ ସଫଳ ହୋଇପାରିଛି ବୋଲି ମତଦେଇ ସେ କହିଲେ ଯେ ଓଡିଶାର ସଫଳତା କାହାଣୀ ବିଷୟରେ ଅନ୍ୟ ରାଜ୍ୟର, ଅନ୍ୟ ଦେଶର ଲୋକ ଜାଣିବାର ବହୁତ ଆବଶ୍ୟକତା ରହିଛି ।
ମୟୂରଭଞ୍ଜର ରାଇରଙ୍ଗପୁର ଓ ସୁନ୍ଦରଗଡର ବୀରମିତ୍ରପୁର ସହରର ଜଳସାଥୀ ଇନ୍ଦୁମତୀ ମହାନ୍ତ ଓ ରଶ୍ମୀତା ସାହୁ ପ୍ରମୁଖ ଭିଡିଓ କନ୍ଫରେନ୍ସ ଜରିଆରେ କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ । ସେମାନେ କହିଥିଲେ ଯେ ପୂର୍ବରୁ ଦିନକୁ ମାତ୍ର ୨ଥର ପାଣି ଆସୁଥିବା ବେଳେ ବର୍ତମାନ ୨୪ ଘଂଟିଆ ବିଶୁଦ୍ଧ ପାଣି ସମସ୍ତଙ୍କ ମୁହଁରେ ହସ ଆଣି ଦେଇଛି । କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ଜି. ମାଥି ଭାଥାନନ୍ ସ୍ୱାଗତ ଭାଷଣ ଦେଇଥିଲେ । ୱାଟକୋର ସିଇଓ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ, ସାଂସଦ, ବିଧାୟକ ତଥା ଜିଲ୍ଲାପାଳମାନେ କାର୍ଯକ୍ରମରେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ ।