ଭୁବନେଶ୍ୱର, 23 ସେପ୍ଟେମ୍ବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ରବିବାର) ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭୁବନେଶ୍ୱରରୁ ପୁରୀ-ରାଉରକେଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିବେ ।
ଏହି ଅବସରରେ ଭୁବନେଶ୍ୱର ରେଳଷ୍ଟେସନ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନ୍ୟ ସାଂସଦ ତଥା ବିଧାୟକ ପ୍ରମୁଖ ଉପସ୍ଥିତ ରହିବେ ।
ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀର ପବିତ୍ର ସହର ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନକୁ ଇସ୍ପାତ ନଗରୀ ରାଉରକେଲା (ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ୍ ରାଜଧାନୀ) ସହିତ ସଂଯୋଗ କରିବ ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ଅନଗୁଳ ଠାରେ ଥିବା ଇଣ୍ଡଷ୍ଟ୍ରିଆଲ୍ ଏରିଆ ଏବଂ ଝାରସୁଗୁଡା ସହିତ ସଂଯୋଗ କରିବ । ଏହି ପ୍ରିମିୟମ୍ ସେବା ପୁରୀ-ରାଉରକେଲା ମଧ୍ୟରେ ଦ୍ରୁତତମ ରେଳ ସଂଯୋଗ ପ୍ରଦାନ କରିବ ଏବଂ ଶନିବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚାଲିବ ।
ଏହି ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ୭ ଘଂଟା ୪୫ ମିନିଟରେ ୫୦୫ କିଲୋମିଟର ଦୂରତା ଅତିକ୍ରମ କରିବ । ଟ୍ରେନ୍ ସଂଖ୍ୟା ୨୦୮୩୬ ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ୫.ଟାରେ ଯାତ୍ରା ଆରମ୍ଭ କରିବ ଏବଂ ସେହି ଦିନ ୧୨: ୪୫ ରେ ରାଉରକେଲାରେ ପହଂଚିବ । ପ୍ରତ୍ୟାବର୍ତନ ଦିଗରେ, ୨୦୮୩୫ ରାଉରକେଲା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ୧୪:୧୦ ଟାରେ ରାଉରକେଲା ଛାଡି ସେହି ଦିନ ୨୧.୪୦ ଘଣ୍ଟାରେ ପୁରୀରେ ପହଂଚିବ । ଏହି ଟ୍ରେନଟି ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର ସହର ଏବଂ ଝାରସୁଗୁଡା ଷ୍ଟେସନ ମାନଙ୍କରେ ରହିବ ।
ଏହି ବନ୍ଦେ ଭାରତ ସେବା ପୁରୀ-ରାଉରକେଲା ମଧ୍ୟରେ ଚାଲୁଥିବା ଅନ୍ୟାନ ଟ୍ରେନ ମାନଙ୍କ ତୁଳନାରେ ହାରାହାରି ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ । ପୁରୀ-ଯୋଗ ନାଗରୀ ଋଷିକେଶ ଏକ୍ସପ୍ରେସ ୧୧.୫୦ ଘଂଟା ନେଇଥାଏ ଏବଂ ପୁରୀ-ହାଟିଆ ତପସ୍ୱିନି ଏକ୍ସପ୍ରେସ ୧୦.୨୫ ଘଂଟା ନେଇଥାଏ ଯାହାକି ଏହି ମାର୍ଗରେ ଦ୍ରୁତତମ ଟ୍ରେନ୍ ଅଟେ ।
ଏହି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀମାନଙ୍କ ଆରାମ ପାଇଁ ଅଧିକ ଉନ୍ନତ ତଥା ଆରାମଦାୟକ ସୁବିଧା ରହିଛି । ଏହା ଉପକୂଳ, ମଧ୍ୟ ଏବଂ ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକୁ ସଂଯୋଗ କରିବା ସହ ଉପକୂଳ ଏବଂ ପଶ୍ଚିମ ଓଡିଶା ଅଂଚଳର ଲୋକଙ୍କ ବିଳାସପୂର୍ଣ୍ଣ, ଆରାମଦାୟକ, ସୁଗମ, ନିରାପଦ ଟ୍ରେନ୍ ଯାତ୍ରା କରିବାର ସ୍ୱପ୍ନକୁ ପୂରଣ କରିବ । ଏହି ଟ୍ରେନ୍ ପୁରୀ ଏବଂ ରାଉରକେଲା ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବାସହ ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ର ଏବଂ ପର୍ଯ୍ୟଟକଙ୍କୁ ବହୁଳ ଭାବରେ ଉପକୃତ କରିବ ।