ନୂଆଦିଲ୍ଲୀ : ବୁଧବାର ଦିନ ପ୍ରଖ୍ୟାତ ବୈଜ୍ଞାନିକ ତଥା ଡିଆରଡିଓର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ବି.ଏସ ଅରୁଣାଚଳମଙ୍କ ଦେହାନ୍ତ ହୋଇଛି । କାଲିଫର୍ଣ୍ଣିଆରେ ୮୭ ବର୍ଷ ବୟସରରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁବାର ପ୍ରଧାନମନ୍ତ୍ରୀ ଡକ୍ଟର ଅରୁଣାଚଳମଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ମୃତ୍ୟୁ ବୈଜ୍ଞାନିକ ଜଗତରେ ଏକ ବଡ ଶୂନ୍ୟସ୍ଥାନ ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ ଯୋଗେ କହିଛନ୍ତି ଯେ, ଡକ୍ଟର ଅରୁଣାଚଳମଙ୍କ ବିୟୋଗ ବୈଜ୍ଞାନିକ ଓ ରଣନୀତିକ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଗଭୀର ଜ୍ଞାନ, ଗବେଷଣା ପ୍ରତି ଆଗ୍ରହ ଓ ଭାରତର ସୁରକ୍ଷା କ୍ଷମତାକୁ ମଜବୁତ କରିବା ଦିଗରେ ତାଙ୍କର ସମୃଦ୍ଧ ଯୋଗଦାନକୁ ବହୁତ ପ୍ରଶଂସା କରାଯାଇଥିଲା । ତେବେ ପ୍ରଧାନମନ୍ତ୍ରୀ ମୋଦି ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାକୁ ସମବେଦନା ଜଣାଇଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ବୁଧବାର ଦିନ ତାଙ୍କ ପରିବାର ପକ୍ଷରୁ ତାଙ୍କର ମୃତ୍ୟୁ ନେଇ ସୂଚନା ଦିଆଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିବା ବେଳେ ଆମେରିକାର କାଲିଫର୍ଣ୍ଣିଆରେ ତାଙ୍କର ଦେହାନ୍ତ ହୋଇଛି ।