
PM addressing at the inauguration of the 9th G20 Parliamentary Speakers' Summit (P20) at Yashobhoomi, in New Delhi on October 13, 2023.
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଯଶୋଭୂମି ଠାରେ ନବମ ଜି – ୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି ୨୦) କୁ ଉଦ୍ଘାଟନ କରିଛନ୍ତି । ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ପାଇଁ ସଂସଦ’ ଶୀର୍ଷକକୁ ନେଇ ଜି – ୨୦ ଅଧ୍ୟକ୍ଷତାର ବ୍ୟାପକ ଢାଞ୍ଚାରେ ଭାରତୀୟ ସଂସଦ ଏହି ଶିଖର ସମ୍ମିଳନୀ ଆୟୋଜନ କରୁଛି ।
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତର ୧୪୦ କୋଟି ନାଗରିକ ମାନଙ୍କ ତରଫରୁ ଜି -୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । “ଏହି ଶିଖର ସମ୍ମିଳନୀ ବିଶ୍ୱର ସମସ୍ତ ସଂସଦୀୟ ପ୍ରଥା ଗୁଡିକର ଏକ ‘ମହାକୁମ୍ଭ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଜି ଉପସ୍ଥିତ ସମସ୍ତ ପ୍ରତିନିଧି ବିଭିନ୍ନ ଦେଶର ସଂସଦୀୟ ଢାଞ୍ଚାର ଅଭିଜ୍ଞତା ରଖିଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଆଜିର କାର୍ଯ୍ୟକ୍ରମରେ ଅତ୍ୟନ୍ତ ସନ୍ତୋଷ ବ୍ୟକ୍ତ କରିଥିଲେ ।
ଭାରତରେ ପାର୍ବଣ ଋତୁ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜି – ୨୦ ବର୍ଷ ସାରା ଉତ୍ସବର ଉତ୍ସାହ ବଜାୟ ରଖିଥିଲା । କାରଣ ଜି – ୨୦ ଉତ୍ସବ ଅନେକ ସହରରେ ବ୍ୟାପିଥିଲା ଯେଉଁଠାରେ ଭାରତର ଅଧ୍ୟକ୍ଷତା କାଳରେ ଜି – ୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା । ଚନ୍ଦ୍ରଯାନର ଚନ୍ଦ୍ର ଅବତରଣ, ସଫଳ ଜି -୨୦ ଶିଖର ସମ୍ମିଳନୀ ଏବଂ ପି – ୨୦ ଶିଖର ସମ୍ମିଳନୀ ଭଳି ଘଟଣା ଯୋଗୁଁ ଏହି ଉତ୍ସବର ଉତ୍ସାହ ବୃଦ୍ଧି ପାଇଥିଲା । ଯେକୌଣସି ରାଷ୍ଟ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସେଠାକାର ଜନସାଧାରଣ ଏବଂ ସେମାନଙ୍କର ଇଚ୍ଛାଶକ୍ତି ଏବଂ ଏହି ଶିଖର ସମ୍ମିଳନୀ ଏହାକୁ ପାଳନ କରିବାର ଏକ ମାଧ୍ୟମ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ସେହି ଭୂମିରେ ପି -୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି ଯାହା କେବଳ ଗଣତନ୍ତ୍ରର ଜନନୀ ଭାବରେ ପରିଚିତ ନୁହେଁ , ବରଂ ଏହା ବିଶ୍ୱର ସର୍ବବୃହତ ଗଣତନ୍ତ୍ର ମଧ୍ୟ ଅଟେ । ବିଶ୍ୱର ବିଭିନ୍ନ ସଂସଦ ଗୁଡିକର ପ୍ରତିନିଧି ମାନଙ୍କ ରୂପରେ ପ୍ରଧାନମନ୍ତ୍ରୀ ଇତିହାସରୁ ଏଭଳି ବିତର୍କର ସଠିକ ଉଦାହରଣ ଉଲ୍ଲେଖ କରିବା ସହିତ ବିତର୍କ ଏବଂ ବିଚାରବିମର୍ଶର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
ଭାରତର ପାଞ୍ଚ ହଜାର ବର୍ଷ ପୁରୁଣା ବେଦ ଓ ଶାସ୍ତ୍ରରେ ସମାଜର ଉନ୍ନତି ପାଇଁ ସାମୂହିକ ନିଷ୍ପତ୍ତି ନିଆଯାଇଥିବା ବେଳେ ବିଧାନସଭା ଓ କମିଟିର ଉଲ୍ଲେଖ ରହିଛି ବୋଲି ସେ ସୂଚନା ଦେଇଥିଲେ । ଭାରତର ସର୍ବପୁରାତନ ଗ୍ରନ୍ଥ ଋଗ୍ ବେଦ ବିଷୟରେ କହିବା ବେଳେ ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ଶ୍ଲୋକ ପାଠ କରିଥିଲେ ଯାହାର ଅର୍ଥ ହେଉଛି ‘ଆମକୁ ଏକାଠି ଚାଲିବାକୁ ହେବ, ଏକାଠି କଥା ବାର୍ତ୍ତା କରିବାକୁ ହେବ ଏବଂ ଆମ ମନକୁ ଏକାଠି କରିବାକୁ ହେବ’ । ସେ ସୂଚନା ଦେଇଥିଲେ ଯେ , ଗ୍ରାମ ସ୍ତର ସହିତ ଜଡିତ ସମସ୍ୟା ଗୁଡିକ ବିତର୍କରେ ଲିପ୍ତ ହୋଇ ସମାଧାନ କରାଯାଇଥିଲା ଯାହା ଗ୍ରୀକ ରାଷ୍ଟ୍ରଦୂତ ମେଘାସ୍ଥିନିସ୍ଙ୍କ ପାଇଁ ଏକ ବଡ ଆଶ୍ଚର୍ଯ୍ୟର ଉତ୍ସ ପାଲଟିଥିଲା , ଯିଏ କି ଏ ବିଷୟରେ ବହୁତ ବିସ୍ତୃତ ଭାବରେ ଲେଖିଥିଲେ । ପ୍ରଧାନମନ୍ତ୍ରୀ ତାମିଲନାଡୁରେ ନବମ ଶତାବ୍ଦୀର ଏକ ଶିଳାଲେଖ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ ଯେଉଁଥିରେ ଗ୍ରାମ ବିଧାନର ନିୟମ ଏବଂ କୋଡ୍ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରା ଯାଇଥିଲା । ୧୨୦୦ ବର୍ଷ ପୁରୁଣା ଏହି ଶିଳାଲେଖରେ ଜଣେ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିବାର ନିୟମ ମଧ୍ୟ ଉଲ୍ଲେଖ ରହିଛି । ଭାରତରେ ଦ୍ୱାଦଶ ଶତାବ୍ଦୀରୁ ଚାଲି ଆସୁଥିବା ଅନୁଭବ ମନ୍ତପ୍ପା ପରମ୍ପରା ବିଷୟରେ ଏବଂ ମାଗ୍ନା କାର୍ଟା ପ୍ରତିଷ୍ଠା ହେବାର ଅନେକ ବର୍ଷ ପୂର୍ବରୁ ଆଲୋଚନାକୁ ପ୍ରୋତ୍ସାହିତ କରାଯାଇଥିଲା ଯେଉଁଠାରେ ପ୍ରତ୍ୟେକ ଜାତି, ବର୍ଣ୍ଣ ଏବଂ ଧର୍ମର ଲୋକମାନେ ସେମାନଙ୍କର ଚିନ୍ତାଧାରା ପ୍ରକାଶ କରିବାକୁ ସ୍ୱାଧୀନ ଥିଲେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । “ଜଗତଗୁରୁ ବାସ୍ୱେଶ୍ୱରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅନୁଭବ ମନ୍ତପ୍ପା ଆଜି ମଧ୍ୟ ଭାରତକୁ ଗର୍ବିତ କରିଛି’ , ବୋଲି ପ୍ରଧାନମନ୍ତ୍ରୀ ଉଲ୍ଳେଖ କରିବା ସହିତ ଏହା ମଧ୍ୟ କହିଥିଲେ ଯେ ୫୦୦୦ ବର୍ଷ ପୁରୁଣା ଶାସ୍ତ୍ରରୁ ଆଜି ପର୍ଯ୍ୟନ୍ତ ଭାରତର ଯାତ୍ରା କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ସଂସଦୀୟ ପରମ୍ପରାର ଐତିହ୍ୟ ।
ସମୟ କ୍ରମେ ଭାରତର ସଂସଦୀୟ ପରମ୍ପରାର ନିରନ୍ତର ବିକାଶ ଓ ସୁଦୃଢ଼ୀକରଣ ଉପରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସ୍ୱାଧୀନତା ପର ଠାରୁ ଭାରତରେ ୧୭ଟି ସାଧାରଣ ନିର୍ବାଚନ ଏବଂ ୩୦୦ ରୁ ଅଧିକ ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ଏହି ସର୍ବବୃହତ୍ ନିର୍ବାଚନୀ ଅଭିଯାନରେ ଜନସାଧାରଣଙ୍କ ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସେ କହିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନ ଯେଉଁଠାରେ ତାଙ୍କ ଦଳ କ୍ଷମତାକୁ ନିର୍ବାଚିତ ହୋଇଥିଲା ତାହା ମାନବ ଇତିହାସର ସବୁଠାରୁ ବଡ ନିର୍ବାଚନୀ ଅଭ୍ୟାସ ଥିଲା କାରଣ ଏଥିରେ ୬୦୦ ନିୟୁତ ଭୋଟର ଅଂଶଗ୍ରହଣ କରିଥିଲେ । ସେତେବେଳେ ୯୧୦ ନିୟୁତ ପଞ୍ଜୀକୃତ ଭୋଟର ଥିଲେ, ଯାହା ସମଗ୍ର ୟୁରୋପର ଜନସଂଖ୍ୟା ଠାରୁ ମଧ୍ୟ ଅଧିକ । ଏତେ ଅଧିକ ଭୋଟର ମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ମତଦାନ ଭାରତୀୟ ମାନଙ୍କର ସଂସଦୀୟ ଅଭ୍ୟାସ ଉପରେ ଗଭୀର ବିଶ୍ୱାସକୁ ପ୍ରଦର୍ଶିତ କରୁଛି । ୨୦୧୯ ନିର୍ବାଚନରେ ରେକର୍ଡ ସଂଖ୍ୟକ ମହିଳା ଅଂଶଗ୍ରହଣ କରିଥିଲେ । ରାଜନୈତିକ ଅଂଶଗ୍ରହଣର ବିସ୍ତାରିତ କ୍ୟାନଭାସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ସାଧାରଣ ନିର୍ବାଚନରେ ୬୦୦ରୁ ଅଧିକ ରାଜନୈତିକ ଦଳ ଅଂଶଗ୍ରହଣ କରିଥିଲେ ଏବଂ ୧୦ ନିୟୁତ ସରକାରୀ କର୍ମଚାରୀ ନିର୍ବାଚନ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରିଥିଲେ ଏବଂ ମତଦାନ ପାଇଁ ୧ ନିୟୁତ ମତଦାନ କେନ୍ଦ୍ର ନିର୍ମାଣ କରା ଯାଇଥିଲା ।