ଗଞ୍ଜାମ/ଗଜପତି : ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଧରାକୋଟ ବ୍ଲକରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ୩୨ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହେଲେଣି । ଯେଉଁ ସ୍ଥାନରେ ଡ଼େଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି, ସ୍ଵାସ୍ଥ୍ୟ ବିଭାଗର ଟିମ୍ ସେଠାରେ ପହଂଚି ଲୋକଙ୍କୁ ସଚେତନ କରୁଛି । ବର୍ତମାନ ସୁଦ୍ଧା ୧୯୩୧ ନମୂନା ପରୀକ୍ଷା କରାଯାଇଥିବା ୩୨ ଜଣଙ୍କ ରିପୋର୍ଟ ଡ଼େଙ୍ଗୁ ପଜିଟିଭ୍ ଆସିଛି । ଏମାନଙ୍କ ମଧ୍ୟରୁ ୨୪ ଜଣ ବାହାରୁ ଆସିଥିବା ବେଳେ ୮ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ।
ଗଞ୍ଜାମ ଜିଲ୍ଲାରେ ଗତ ବର୍ଷ ୧୬୧ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ । ୨୦୨୧ ରେ ଜିଲ୍ଲାରୁ ମୋଟ୍ ୩୩୩ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୦୨୦ ରେ ମାତ୍ର ୯ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେହିପରି ୨୦୧୯ରେ ୩୦୭ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ । ୨୦୧୮ ରେ ୧୫୫ ପଜିଟିଭ୍ ଚିହ୍ନଟ ହୋଇଥିଲେ।
ସେହିପରି ଗଜପତି ଜିଲ୍ଲାରେ ଚଳିତ ବର୍ଷ ବର୍ତମାନ ସୁଦ୍ଧା ୪୬ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହେଲେଣି । ତେବେ ଡ଼େଙ୍ଗୁର ନିରାକରଣ ପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମାଚଂଳରେ ସ୍ଥିତି ଅନୁଧ୍ୟାନ କରାଯିବା ସହ ଔଷଧ ସିଂଚନ କରାଯାଉଛି । ଘରକୁ ଘର ଯାଇ ସଚେତନତା ସୃଷ୍ଟି କରାଯାଉଛି ଏବଂ ଔଷଧ ଦିଆଯାଉଛି ବୋଲି ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ଯେଉଁ ଗ୍ରାମରୁ ଡ଼େଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି, ସେଠାରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ଆବଶ୍ୟକୀୟ ଔଷଧ ପ୍ରଦାନ କରାଯିବା ସହ ସେମାନଙ୍କର ଚିକିତ୍ସା ବ୍ୟବସ୍ଥା ତଦାରଖ କରାଯାଉଛି । ମଶା ନିପାତ ପାଇଁ ଧୂଆଁ ଛଡାଯିବା ସହ ପାଣି ଜମି ରହିଥିବା ସ୍ଥାନକୁ ସଫା କରାଯାଉଛି । ଡ଼େଙ୍ଗୁ ଲାର୍ଭା ଖୋଜି ନଷ୍ଟ କରାଯାଉଥିବା ବେଳେ ଯେଉଁ ରୋଗୀ ଆନ୍ଧ୍ରପ୍ରଦେଶ ଯାଇ ଚିକିତ୍ସିତ ହେଉଛନ୍ତି, ସେମାନଙ୍କ ଉପରେ ମଧ୍ୟ ନଜର ରଖାଯାଇଛି । ରାୟଗଡ଼ା ବ୍ଲକର ମଣ୍ଡଳ ସାହିରେ ମଧ୍ୟ ଜ୍ଵରରେ ଆକ୍ରାନ୍ତ ଥିବା କିଛି ଲୋକଙ୍କ ରକ୍ତନମୂନା ସଂଗ୍ରହ କରାଯାଇଛି । ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ର ସାରା ଗ୍ରାମରୁ କିଛିଦିନ ତଳେ ୨୭ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି ଗ୍ରାମରେ ୫୩ ଜଣ ଜ୍ଵରରେ ପୀଡ଼ିତ ଥିଲେ ମଧ୍ୟ ଗୁମ୍ମା ବ୍ଲକ ନାମନଗଡ଼ରୁ ଏକାଧିକ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋହନାରୁ ମଧ୍ୟ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଛନ୍ତି । ସାରା ଗ୍ରାମ ପରେ କାଶୀନଗର ବ୍ଲକର ଜିଡ଼ିଙ୍ଗି, ଖାରଡ଼ା, ଧୋବାଜୟପୁରରୁ ମଧ୍ୟ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି ।