ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ପୁଣି ୩ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହେବା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଏହି ୩୫ ଜଣଙ୍କ ମଧ୍ୟରୁ ୧୦ ଜଣ ଭୁବନେଶ୍ଵର ଓ କଟକରୁ ଆସିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ଡ଼େଙ୍ଗୁ ନିୟନ୍ତ୍ରଣରେ ରହିଛି । ଯେଉଁ ଅଂଚଳରେ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହେଉଛନ୍ତି, ସ୍ଵାସ୍ଥ୍ୟ ବିଭାଗର ଟିମ୍ ସେଠାରେ ପହଂଚି ଲୋକଙ୍କୁ ସଚେତନ କରୁଛି । ନୂଆ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କୋଦଳାର ହୋଇଥିବା ବେଳେ ସେ ଭୁବନେଶ୍ଵରରୁ ଆସିଛନ୍ତି । ଅନ୍ୟ ଜଣେ ବ୍ରହ୍ମପୁରର ହୋଇଥିବା ବେଳେ ସେ କଟକରୁ ଆସିଛନ୍ତି । ତୃତୀୟ ରୋଗୀ ଜଣକ ବଡଗଡ଼ ଅଂଚଳରୁ ଚିହ୍ନଟ ହୋଇଥିବା ସ୍ଵାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି । ଜିଲ୍ଲାରେ ଚିହ୍ନଟ ହୋଇଥିବା ମୋଟ୍ ୩୫ ଜଣ ଡ଼େଙ୍ଗୁ ରୋଗୀଙ୍କ ମଧ୍ୟରୁ ୨୬ ଜଣ ଅନ୍ୟ ରାଜ୍ୟ ଓ ଜିଲ୍ଲାରୁ ଆକ୍ରାନ୍ତ ହୋଇ ଆସିଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ଡ଼େଙ୍ଗୁ ସେଭଳି ଉଦବେଗଜନକ ସ୍ଥିତିକୁ ଯାଇନାହିଁ । ଡ଼େଙ୍ଗୁ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସ୍ଵାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଗଞ୍ଜାମ ଜିଲ୍ଲାରେ ଗତ ବର୍ଷ ୧୬୧ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ । ୨୦୨୧ ରେ ଜିଲ୍ଲାରୁ ମୋଟ୍ ୩୩୩ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୦୨୦ ରେ ମାତ୍ର ୯ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେହିପରି ୨୦୧୯ରେ ୩୦୭ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ । ୨୦୧୮ ରେ ୧୫୫ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ ।