ଅସ୍ତାନା, 5 ଜୁଲାଇ – ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇ ସେମାନଙ୍କୁ ନିରାପଦ ସ୍ଥାନ ଯୋଗାଇ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶଗୁଡିକୁ ଭାରତ ତାଗିଦ୍ କରିଛି। ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ସଂଘାଇ ସହଯୋଗ ସଙ୍ଗଠନ ବୈଠକରେ ଭାରତର ପ୍ରତିନିଧିତ୍ୱ କରି ଆତଙ୍କବାଦ ପ୍ରସଙ୍ଗ ଉପରେ ଚୀନ ଓ ପାକିସ୍ତାନକୁ ପରୋକ୍ଷରେ କଟାକ୍ଷ କରି କହିଛନ୍ତି ଯେ, ଯଦି ଆତଙ୍କବାଦ ଉପରେ ଅଙ୍କୁଶ ଲଗାଯିବ ନାହିଁ, ତେବେ ଏହା କ୍ଷେତ୍ରୀୟ ଓ ବୈଶ୍ୱିକ ଶାନ୍ତି ପାଇଁ ବଡ ବିପଦ ହୋଇପାରେ । ଏହି ଅବସରରେ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ପଢିଛନ୍ତି । ଏଥିରେ ସେ ମନେ ପକାଇ ଦେଇଛନ୍ତି ଯେ, ଆତଙ୍କବାଦ ବିରୋଧରେ ଲଢିବା ହେଉଛି ଏସସିଓର ଅନ୍ୟତମ ମୌଳିକ ଉଦ୍ଦେଶ୍ୟ ଅଟେ । ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ, ଋଷର ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଏବଂ ଅନ୍ୟ ନେତାଙ୍କ ଉପସ୍ଥିତିରେ ସେ କହିଛନ୍ତି ଯେ, ଆମ ମଧ୍ୟରେ ଅନେକ ଲୋକଙ୍କୁ ଏଭଳି ଅନୁଭବ ହୋଇଛି ଯେ, ଯାହା ପ୍ରାୟତଃ ଆମର ସୀମା ବାହାରେ ଥାଏ । ଆମେ ସ୍ପଷ୍ଟ ହେବା ଉଚିତ୍ ଯେ ଯଦି ଏହା ନିୟନ୍ତ୍ରିତ ନହୁଏ, ତେବେ ଏହା ଆଂଚଳିକ ଏବଂ ବିଶ୍ୱ ଶାନ୍ତି ପାଇଁ ଏକ ବଡ଼ ବିପଦ ହୋଇପାରେ । ଆତଙ୍କବାଦ କୌଣସି ରୂପରେ ଯଥାର୍ଥ ହୋଇପାରିବ ନାହିଁ।