ଜୟପୁର/ପ୍ରତାପଗଡ : ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ଲଜ୍ଜାଜନକ ଘଟଣା ଘଟିଛି । ପ୍ରତାପଗଡ ଜିଲ୍ଲାର ଧରିୟାବାଦ ଥାନା ଅଞ୍ଚଳରେ ଏକ ଗାଁରେ ଜଣେ ମହିଳାଙ୍କୁ ନିବସ୍ତ୍ର କରି ଗାଁ ସାରା ବୁଲାଯାଇଛି । ଯାହାକୁ ନେଇ ଏବେ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି। ମହିଳାଙ୍କୁ ସ୍ୱାମୀ ହିଁ ମହିଳାଙ୍କୁ ନିବସ୍ତ୍ର କରି ଗାଁ ଦାଣ୍ଡରେ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ବୁଲାଇଛନ୍ତି । ଘଟଣାଟି 31 ଅଗଷ୍ଟରେ ଘଟିଥିବା ବେଳେ ଗତକାଲି (ଶୁକ୍ରବାର) ଏହାର ଭିଡିଓ ଭାଇରାଲ ହୋଇଛି । ଯାହା ପରେ ହରଡଘଣାରେ ପଡିଛନ୍ତି ସରକାର ।
ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ସଭ୍ୟ ସମାଜରେ ଏଭଳି ଅପରାଧିଙ୍କ ପାଇଁ କୌଣସି ସ୍ଥାନ ନାହିଁ । କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଘଟଣାସ୍ଥଳକୁ ପଠାଇ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅପରାଧୀଙ୍କୁ ଖବୁ ଶୀଘ୍ର ଜେଲ ପଠାଯାଇ ଫାଷ୍ଟ ଟ୍ରାକ କୋର୍ଟରେ ମକଦ୍ଦମା କରାଇ ଦଣ୍ଡବିଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପ୍ରତାପଗଡ ଏସପିଙ୍କ ସୂଚନା ଅନୁସାରେ ମହିଳାଙ୍କ ବିବାହ ଦେଢବର୍ଷ ପୂର୍ବରୁ ଏହି ଗାଁର ଜଣେ ଯୁବକଙ୍କ ସହ ହୋଇଥିଲା । ଅନ୍ୟପଟେ ଘଟଣା ପରେ ମହିଳା ଜଣକ ସେପ୍ଟେମ୍ବର 1 ତାରିଖ ବିଳମ୍ବିତ ରାତିରେ ଧରିୟାବାଦ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ ଚଳାଇଛି । ଏହି ଘଟଣାରେ ପୋଲିସ ମହିଳାଙ୍କ ସ୍ୱାମୀ ସମେତ ୩ଜଣଙ୍କୁ ଗିରଫ କରିଛି । ସେହିପରି ୧୪ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।