ନୂଆଦିଲ୍ଲୀ : ଦିଲ୍ଲୀ ମଦ ନୀତି ମାମଲାରେ ଅଭିଯୁକ୍ତ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଆଜି ଗୁରୁବାର ମଧ୍ୟ ସୁପ୍ରିମକୋର୍ଟରେ ଶୁଣାଣି ହେବ । ଗତକାଲି ଦିନ ସିସୋଦିଆ ପକ୍ଷରୁ ତାଙ୍କ ଓକିଲ ଅଭିଷେକ ମନୁସାଙ୍ଘଭି କହିଥିଲେ ଯେ, ସିସୋଦିଆ ଟଙ୍କା ଗ୍ରହଣ କରିବାର କୌଣସି ପ୍ରମାଣ ନାହିଁ । ସେ ଫେରାର ହେବାର ମଧ୍ୟ କୌଣସି ସମ୍ଭାବନା ନାହିଁ । ସିସୋଦିଆଙ୍କ ପତ୍ନୀ ଗୁରୁତର ଅସୁସ୍ଥ ଅଛନ୍ତି । ଶୁଣାଣି ସମୟରେ ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପଚାରିଥିଲେ ଯେଉଁ ରାଜନୈତିକ ଦଳ ଉପକୃତ ହୋଇଛି ତାକୁ କାହିଁକି ଅଭିଯୁକ୍ତ ଭାବେ ଗ୍ରହଣ କରାଯାଇନାହିଁ ।
ଶୁଣାଣି ସମୟରେ ସିଙ୍ଗଭି କହିଥିଲେ ଯେ, ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ମିଳିସାରିଛି । କିନ୍ତୁ ଉଚ୍ଚ ଟାର୍ଗେଟେଡ ଲୋକକୁ ଏପର୍ଯ୍ୟନ୍ତ ଜାମିନ ମିଳିନାହିଁ । ଏହି ମାମଲାରେ 50ହଜାରରୁ ଅଧିକ ଦସ୍ତାବିଜ ଓ 5ଶହରୁ ଅଧିକ ସାକ୍ଷୀ ଅଛନ୍ତି । କିନ୍ତୁ ସିସୋଦିଆ ଏକ ଟଙ୍କାର ହେରଫେର କରିଥିବାର ପ୍ରମାଣ ମିଳିନି । ସରକାରୀ ସାକ୍ଷୀଙ୍କ ବୟାନରେ ସିସୋଦିଆଙ୍କ ଲିଙ୍କର ପ୍ରମାଣ ନାହିଁ । ଅନ୍ୟପଟେ ସିବିଆଇ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ବିରୋଧ କରିଛି । ସିସୋଦିଆଙ୍କ ବିରୁଦ୍ଧରେ ଦୁର୍ନୀତିର ବଡ ଆରୋପ ରହିଛି । ଜାମିନ ପାଇଁ ନିର୍ଦ୍ଧାରିତ ଟ୍ରିପଲ ଟେଷ୍ଟକୁ ପୂରା କରୁନାହାନ୍ତି । ସିସୋଦିଆ ପୂର୍ବରୁ ଅନେକ ପ୍ରମାଣ ନଷ୍ଟ କରିସାରିଥିବା ବେଳେ ତଦନ୍ତରେ ସହଯୋଗ କରୁନାହାନ୍ତି । ତେଣୁ ତାଙ୍କୁ ଜାମିନ ନଦେବାକୁ ସିବିଆଇ ପକ୍ଷରୁ ଅନୁରୋଧ କରାଯାଇଛି ।