ଚଣ୍ଡୀଗଡ଼ : ପଞ୍ଜାବର କଂଗ୍ରେସ ବିଧାୟକ ସୁଖପାଲ ସିଂହ ଖେହରାଙ୍କ ଗିରଫଦାରୀକୁ ନେଇ ରାଜ୍ୟପାଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ଜବାବ ତଲବ କରିଛନ୍ତି । ଖେହରାଙ୍କୁ ସେପ୍ଟେମ୍ବର ୨୮ ତାରିଖ ସକାଳେ ଚଣ୍ଡୀଗଡ଼ର ସେକ୍ଟର-୫ ରୁ ଧରି ଜଲାଲାବାଦ ପୋଲିସ ନିଜ ହେପାଜତକୁ ନେଇଥିଲା । ଏହାପରେ ଏସଆଇଟି ତାଙ୍କୁ ୨୦୧୫ ର ଏକ ମାମଲାରେ ଗିରଫ କରିଛି । ଏହି ମାମଲାରେ ମାଦକ ଦ୍ରବ୍ୟ ତସ୍କରଙ୍କୁ ସହାୟତା କରୁଥିବା ନେଇ ଖେହରାଙ୍କ ବିରୋଧରେ ଅଭିଯୋଗ ରହିଛି । ଖେହରା ବର୍ତମାନ ନାଭା ଜେଲ୍ ରେ ରହିଛନ୍ତି ।
ଖେହରାଙ୍କ ଗିରଫଦାରୀ ପରେ ପଞ୍ଜାବ କଂଗ୍ରେସର ବିଧାୟକମାନେ ରାଜ୍ୟପାଳ ବନବାରୀ ଲାଲ ପୁରୋହିତଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । କଂଗ୍ରେସ ବିଧାୟକ ମାନେ ଅଭିଯୋଗ ଆଣିଥିଲେ ଯେ, ବିଧାୟକ ସୁଖପାଲ ସିଂହ ଖେହରାଙ୍କ ଗିରଫଦାରୀରେ କୌଣସି ନିୟମର ପାଳନ କରାଯାଇନାହିଁ । ତାଙ୍କୁ ସେହି ମାମଲାରେ ଗିରଫ କରାଯାଇଛି, ଯେଉଁ ମାମଲାରେ କି ତାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ଵସ୍ତି ମିଳିସାରିଛି ।
କଂଗ୍ରେସ ବିଧାୟକଙ୍କ ଦାବିକୁ ନେଇ ରାଜ୍ୟପାଳ ବନବାରୀ ଲାଲ ପୁରୋହିତ ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ଗୌରବ ଯାଦବଙ୍କୁ ଏକ ପତ୍ର ଲେଖି ସୁଖପାଲ ସିଂହ ଖେହରା କେସ୍ ର ଷ୍ଟାଟସ୍ ରିପୋର୍ଟ ଦାବି କରିଛନ୍ତି । ଏହା ବ୍ୟତୀତ ସେ ଏସଆଇଟିର ଯାଞ୍ଚ୍ ତଥା ଖେହରାଙ୍କ ଗିରଫଦାରୀର ଆଧାର ବିଷୟରେ ମଧ୍ୟ ପଚାରିଛନ୍ତି ।