ଭୁବନେଶ୍ୱର : ରାଜ୍ୟରେ ପନିପରିବା ଓ ଫଳଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛି । ରାଜ୍ୟ ସରକାର କୃଷି କ୍ଷେତ୍ରରେ ଫସଲର ବିବିଧିକରଣକୁ ପ୍ରାଧାନ୍ୟ ଦେଉଥିବାବେଳେ ପନିପରିବା ଚାଷ ଦ୍ୱାରା ଚାଷୀମାନଙ୍କର ଆୟବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟ ସରକାର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ମାଧ୍ୟମରେ ପନିପରିବା ଓ ଫଳଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଆଜି ଏହି ପରିପ୍ରେକ୍ଷୀରେ କୃଷି ଭବନଠାରେ ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧିନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ବିଭିନ୍ନ ଯୋଜନାର ସମୀକ୍ଷା କରି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଯୋଜନାଗୁଡ଼ିକରେ ଜିଲ୍ଲା ନିମନ୍ତେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଦିଗରେ କ୍ଷେତ୍ରସ୍ତରର ଅଧିକାରୀମାନେ ଅଧିକ ତତ୍ପରତାର ସହ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପନିପରିବା ଆଦି କୃଷିଜାତ ଦ୍ରବ୍ୟର ଉପଯୁକ୍ତ ସଂରକ୍ଷଣ ନିମନ୍ତେ ରାଜ୍ୟରେ ୧୦ରୁ ୧୫ ଟନ କ୍ଷମତାବିଶିଷ୍ଟ ଏକ ହଜାରରୁ ଊଦ୍ଧ୍ୱର୍ କୋଲଡ୍ ରୁମ୍ ସ୍ଥାପନ କରାଯିବ । ଏଥି ସହିତ ରାଜ୍ୟରେ ଆଳୁ ଚାଷକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯାଇଛି । ୨୦୨୩-୨୪ ବର୍ଷ ଖରିଫରେ ରାଜ୍ୟରେ ଖରିଫ୍ ଆଳୁ ଚାଷ କରାଯାଇଥିବାବେଳେ ରବିଋତୁରେ ଆଳୁଚାଷ ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ପ୍ରାମାଣିକ ଆଳୁ ବିହନ ସଂଗ୍ରହ କରାଯାଉଛି । ଅଧିକ ଆଳୁ ଉତ୍ପାଦନ ନିମନ୍ତେ ଚାଷୀମାନଙ୍କୁ ଉନ୍ନତ ମାନର ଆଳୁ ବିହନ ଯୋଗାଇଦେବା ଉପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଗୁରୁତ୍ୱ ପ୍ରଦାନ କରୁଛି ବୋଲି ଡ. ପାଢ଼ୀ କହିଥିଲେ ।
ବୈଠକରେ ପିଆଜ, ହାଇବି୍ରଡ୍ ପନିପରିବା, ମସଲା, ଅଦା, ହଳଦୀ, ଲଙ୍କା ଚାଷ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏଥି ସହିତ ଜିଲ୍ଲା ନିମନ୍ତେ ଉଦ୍ଦିଷ୍ଟ ଅଏଲ୍ ପାମ୍ କଂପାନୀମାନଙ୍କ ସହିତ ନିୟମିତ ବୈଠକ କରି ଜିଲ୍ଲାରେ ଅଏଲ୍ ପାମ୍ ଚାଷ ପ୍ରକି୍ରୟାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସ୍ୱତନ୍ତ୍ର ଯୋଜନା ଅଧିନରେ କଦଳୀ, ସେଓ, ଆତ, କମଳା, ଲିଚୁ, ସପୁରୀ, ଅମୃତଭଣ୍ଡା, ପିଜୁଳି, ଡାଳିମ୍ବ ଓ ପଣସ ଆଦି ଚାଷ ସଂପର୍କରେ ସବିଶେଷ ଆଲୋଚନା ହୋଇଥିଲା ।
ଏଥି ସହିତ ବୈଠକରେ ଫାର୍ମ ପଣ୍ଡ ପ୍ଲସ୍ ଯୋଜନାରେ ସମନ୍ୱିତ କୃଷି, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନାରେ ବିଭିନ୍ନ ଚାରା ରୋପଣ କାର୍ଯ୍ୟକ୍ରମ, ରିୱାର୍ଡ ଯୋଜନାରେ ଜଳସେଚନ ସୁବିଧା, କଫିଚାଷ, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, କୂପ ଖନନ, ଜାତୀୟ ହର୍ଟିକଲଚର ମିଶନରେ ନଡ଼ିଆ ଚାଷ ଆଦି କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରାଯାଇଥିଲା ।
ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସ୍କିମ୍ ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲାର ଉପନିର୍ଦ୍ଦେଶକ, ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନର ଅଧିକାରୀ ଓ ପ୍ରକଳ୍ପ ନିର୍ଦ୍ଦେଶକମାନେ ଯୋଗଦେଇଥିଲେ ।