ବାରମୂଳା, 11 ଏପ୍ରିଲ – ସୁରକ୍ଷାକର୍ମୀମାନେ ଗୁରୁବାର ଦିନ ବାରମୂଳା ଜିଲ୍ଲାରେ ଏକ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାଶ କରି ତିନି ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ଠାରୁ ଆପତ୍ତିଜନକ ସାମଗ୍ରୀ, ଗୋଳା ବାରୁଦ ଜବତ କରାଯାଇଛି ।
ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ବାରମୂଳା ପୋଲିସକୁ ଲସ୍କର-ଇ-ତୋଇବା ସଙ୍ଗଠନ ସହିତ ଜଡିତ କିଛି ଅଜ୍ଞାତ ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ମିଳିଥିଲା । ଗୁଇନ୍ଦା ସୂଚନା ମୁତାବକ ଆତଙ୍କବାଦୀମାନେ ସୁରକ୍ଷାବଳକୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ବାରମୂଳା ସହରରେ ବୁଲୁଥିଲେ । ଏମାନେ ସୁରକ୍ଷାବଳର ଗତିବିଧି, ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖୀ ବାରମୂଳାରେ ଶାନ୍ତି ପ୍ରକ୍ରିୟା ଭଙ୍ଗ କରିବା ପାଇଁ ନିଜ ମାଲିକମାନଙ୍କୁ ସୂଚନା ଦେଉଥିଲେ । ତେବେ ପୋଲିସ ସେମାନଙ୍କୁ ଗିରଫ କରିବା ସହ ଏଫଆଇଆର ରୁଜୁ କରି ତଦନ୍ତ ଚଳାଇଛି ।