ଧର୍ମଶାଳା,୨୪ସେପ୍ଟେମ୍ବର – ଯାଜପୁର ଜିଲା ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭାବନୀୟ ଘଟଣା । ଚିକିତ୍ସା ପାଇଁ ଆସିଥିବା ଶିଶୁ କନ୍ୟାର ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତେଜନା ପ୍ରକାଶ ପାଇବା ସହିତ ଉତ୍ୟକ୍ତ ଲୋକଙ୍କ ଦ୍ୱାରା ବ୍ୟାପକ ଭଙ୍ଗା ରୁଜା କରାଯିବା ସହିତ ପୋଡା ଜଳା କରାଯାଇଥିବା ଜଣାପଡିଛି । ଏହି ଘଟଣାରେ ବରୀ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ବରୀ ବ୍ଲକ ଅଲ୍ଲୀପୁର ଗ୍ରାମର କାଳନ୍ଦୀ ଗେଡିଙ୍କ ୫ ବର୍ଷୀୟ ଶିଶୁ କନ୍ୟା ଅର୍ପିତାଙ୍କର ଆଜି ସକାଳ ପାଖାପାଖି ୭ଟା ସମୟରେ ଦେହ ଖରାପ ହୋଇଥିଲା । ତାଙ୍କର ଚିକିତ୍ସା ନିମନ୍ତେ ପରିବାର ଲୋକେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତରଙ୍କ ସହ ପରାମର୍ଶ ନେଇଥିଲେ । ଡାକ୍ତର ତାଙ୍କୁ ଇଞ୍ଜକସନ ନେବା ପାଇ ଡାକ୍ତରୀ ଚିଠାରେ ଉଲ୍ଲେଖ କରିଥିଲେ । ତେବେ ଇଞ୍ଜକସନ ନେବାର କିଛି ସମୟ ପରେ ଅର୍ପିତାଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଭୁଲ ଇଞ୍ଜକସନ ପାଇଁ ଅର୍ପିତାଙ୍କ ଜୀବନ ଯାଇଥିବା ପରିବାର ପକ୍ଷରୁ କୁହା ଯାଇଥିବା ବେଳେ ଏହି ଘଟଣା ପ୍ରଚାରିତ ହେବା ପରେ ମେଡିକାଲ ପରିସରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଫଳରେ ଉତ୍ୟକ୍ତ ଲୋକେ ବ୍ୟାପକ ଭଙ୍ଗାରୁଜା କରିବା ସହ ବହୁ ଆବଶ୍ୟକୀୟ ସାମଗ୍ରୀଗୁଡିକରେ ନିଆଁ ଲଗାଇ ଦେଇଥିଲେ । ଫଳରେ ମେଡିକାଲ ପରିସର ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା । ଖବର ପାଇଁ ଯାଜପୁର ଉପ-ଜିଲାପାଳ ଗୋପିନାଥ କୁଅଁର ,ବରୀ ତହସିଲଦାର ତିଲୋତମା ପୃଷ୍ଟି,ଏସଡିପିଓ ସତ୍ୟବ୍ରତ ଲେଙ୍କା,ଜିଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଶିବାଶିଷ ମହାରଣା,ବରୀ ରାମଚନ୍ଦ୍ରପୁର ଥାନା ଅଧିକାରୀ ପ୍ରକାଶ ସାହୁ ଓ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ.ସବ୍ୟସାଚୀ ଦାସ ପ୍ରମୁଖମେଡିକାଲ ପରିସରରେ ପଂହଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ । ଜିଲା ରେଡକ୍ରସ ପକ୍ଷରୁ ସହାୟତା ଘୋଷଣା ସହ ଘଟଣାର ତଦନ୍ତ କରିବାର ପ୍ରତିଶୃତି ଦେବା ପରେ ଘଟଣା ଶାନ୍ତ ପଡିଥିଲା । ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲଶ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିବା ଜଣାପଡିଛି । ଅନେକ ସମୟରେ ବରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ନ ଥିବା ଅନେକ ଗୁରୁତର ରୋଗୀଙ୍କ ଜୀବନ ଯାଉଥିବା ବେଳେ ନିକଟରେ ମେଡିକାଲରେ ଅକସିଜେନ ପାଇଁ ଜଣେ ଶିଶୁ ପୁତ୍ରର ଜୀବନ ଯାଇଥିବା ଲୋକେ ଜିଲା ପ୍ରଶାସନ ନିକଟରେ ଦାବି କରିଥିଲେ । ମେଡିକାଲରେ ବାରମ୍ବାର ଅଭାବୀନୟ ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେପରି କିଛି ପଦକ୍ଷେପ ନିଆ ଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଖବର ପାଇ ବିଜେଡି ଯୁବ ନେତା ବିଶ୍ୱ ରଂଜନ ମଲ୍ଲିକ ମେଡିକାଲ ପରିସରରେ ପଂହଚି ମୃତକଙ୍କ ପରିବାରକୁ ଭୋଟି ସାନ୍ତ୍ୱନା ଦେବା ସହିତ ୫୦ ହଜାର ଟଙ୍କା ଆର୍ଥୀକ ସହାୟତା ପ୍ରଦାନ କରିଥିଲେ ।