ସମ୍ବଲପୁର /ଭୁବନେଶ୍ୱର : ସାରା ରାଜ୍ୟରେ ଚାଲିଥିବା ସରପଞ୍ଚ ସଂଗଠନର ଆନ୍ଦୋଳନକୁ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନ ଓଡ଼ିଶା ଶାଖା ସଭାପତି ରବି ରଥ ଓ ସମ୍ପାଦକ ଡ଼ା. ରାଜାରାମ ଷଡ଼ଙ୍ଗୀ ସମର୍ଥନ ଜଣାଇ ରାଜ୍ୟ ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରି ସରପଞ୍ଚମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ଅନୁରୋଧ କରିଛନ୍ତି । ପଞ୍ଚାୟତ ଭଳି ସ୍ୱାୟତ ଶାସନ ଭାର ମୁଣ୍ଡେଇଥିବା ସରପଞ୍ଚ ମାନଙ୍କ ଦାବି ଯୁକ୍ତିଯୁକ୍ତ ହୋଇଥିବାରୁ ଗ୍ରାମ ବିକାଶ ଭଳି ଉନ୍ନୟନ ଦିଗକୁ ସରକାର ଆଖି ଆଗରେ ରଖି ସରପଞ୍ଚ ଆନ୍ଦୋଳନର ଅବସାନ ଘଟାଇ ବିକାଶର ମୂଳସ୍ରୋତରେ ସରପଞ୍ଚମାନଙ୍କୁ ପୁର୍ଣ୍ଣ କ୍ଷମତା ପ୍ରଦାନ କରିବା ଦିଗରେ ଗଠନ ମୂଳକ ନିଷ୍ପତି ନେବେ ବୋଲି ଆଶା ବାଦି ଥିବା ନେଇ ସଙ୍ଗଠନ କହିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସମୟରେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ । ବର୍ତମାନ “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାରେ ପଞ୍ଚାୟତକୁ ୫୦ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିବା ବେଳେ ଏହି ଅନୁଦାନ ନିମନ୍ତେ ପ୍ରକଳ୍ପ ଚୟନ ଆଦି ନିଷ୍ପତିରେ ସରପଂଚଙ୍କୁ ଗୁରୁତ୍ୱ ଦିଆଯାଉନାହିଁ । ଏହା ସହ ସରପଞ୍ଚଙ୍କୁ ଅବସରକାଳୀନ ଭତା, ସ୍ୱାସ୍ଥ୍ୟ ବୀମା ପ୍ରଦାନ, ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟ କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ପଞ୍ଚାୟତକୁ ସ୍ୱତନ୍ତ୍ର ପାଣ୍ଠୀର ବ୍ୟବସ୍ଥା,ମାସିକ ବେତନ ଭତା ବୃଦ୍ଧି ସହ ୱାର୍ଡ ମେମ୍ୱରମାନଙ୍କୁ ମଧ୍ୟ ୫ ହଜାର ବେତନ ଭତା, ପିଅନ ଓ ରାତ୍ର ଜଗୁଆଳିଙ୍କୁ ମାସିକ ବେତନ ବ୍ୟବସ୍ଥା, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସରପଞ୍ଚଙ୍କ ହାତପାଣ୍ଠିକୁ ନାର୍ଷିକ ୧୦ ଲକ୍ଷ ଟଙ୍କା ଓ ଅନ୍ତତଃ ୫ଟି ଗୃହ ଆବଣ୍ଟନର କ୍ଷମତା ଦେବା ଆଦି ଦାବି ରହିଛି ।
ସାମ୍ପ୍ରତିକ ସମୟରେ ରାଜ୍ୟସ୍ତରୀୟ ସରପଞ୍ଚ ଆନ୍ଦୋଳନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ସରକାର ଏ ଦିଗରେ ଦୃଷ୍ଟି ଦେବେ ବୋଲି ମିଳିତ ଭାବେ ରଥ ଓ ଡା. ଷଡଙ୍ଗୀ କାଳ ବିଳମ୍ଭ ନକରି ସରକାର ଏ ଦିଗରେ ନିଷ୍ପତି ନେବାକୁ ଦାବି କରିଛନ୍ତି ।