ନୂଆଦିଲ୍ଲୀ : ଚନ୍ଦ୍ରପୃଷ୍ଠରେ ନିଷ୍କ୍ରିୟ କରାଯାଇଥିବା ଚନ୍ଦ୍ରଯାନ-3ର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନକୁ ଶନିବାର ପୁଣି ଥରେ ସକ୍ରିୟ କରାଯିବ । ସେପ୍ଟେମ୍ବର 23ରେ ଏହି ଦୁଇଟିକୁ ସକ୍ରିୟ କରିବା ପାଇଁ ଇସ୍ରୋ ପକ୍ଷରୁ ଯୋଜନା କରାଯାଇଛି । ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟାସ୍ତ କାରଣରୁ ସେପ୍ଟେମ୍ବର 3ତାରିଖରେ ଲ୍ୟାଣ୍ଡର ବିକ୍ରମକୁ ସ୍ଲିପ ମୋଡରେ ରଖାଯାଇଥିଲା । ରୋଭର ପ୍ରଜ୍ଞାନକୁ ମଧ୍ୟ ସ୍ଲିପ ମୋଡରେ ରଖାଯାଇଥିଲା ।
ଗୁରୁବାର ଇସ୍ରୋର ନିର୍ଦ୍ଦେଶକ ନୀଲେଶ ଦେଶାଇ କହିଛନ୍ତି ଯେ, ସେପ୍ଟେମ୍ବର 20ରୁ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟୋଦୟ ଆରମ୍ଭ ହୋଇଯାଇଛି ।ତେଣୁ ପୁଣି ଥରେ ଚନ୍ଦ୍ରଯାନ-3ର ଲ୍ୟାଣ୍ଡର ଓ ରୋଭରକୁ ସକ୍ରିୟ କରାଯିବ । ଲ୍ୟାଣ୍ଡର ଓ ରୋଭରରେ ଥିବା ସୋଲାର ପ୍ୟାନେଲ ସୂର୍ଯ୍ୟୋଦୟ ଯୋଗୁ ରିଚାର୍ଜ ହୋଇଯିବ । ସେପ୍ଟେମ୍ବର 3ରୁ ଉଭୟ ସ୍ଲିପ ମୋଡରେ ଥିଲେ । ଯୋଜନା ଅନୁସାରେ ସେପ୍ଟେମ୍ବର 23ରେ ରୋଭର ଏବଂ ଲ୍ୟାଣ୍ତରକୁ ପୂନର୍ଜୀବିତ କରାଯିବ । ଅନ୍ୟପଟେ ରାତିର ତାପମାତ୍ରା -120ରୁ -200 ସେଲସିୟସ ରହୁଥିବାରୁ ଏହା କେତେ ପରିମାଣର ସହ୍ୟ କରିପାରୁଛି ସେ ଦିଗରେ ମଧ୍ୟ ବିଚାର କରାଯିବ । ସେ କହିଛନ୍ତି ଯେ, ଆମ ପାଖରେ ଲ୍ୟାଣ୍ଡର ଉପରେ 4ଟି ଓ ରୋଭର ଉପରେ ଦୁଇଟି ସେନସର ଅଛି ଏବଂ ଏହା ଦ୍ୱାରା ଆମେ କିଛି କାମ କରିପାରିବୁ । ଏହା ଯୋଗୁ ଆମର କାର୍ଯ୍ୟ ଆଗକୁ ବଢିବ ଏବଂ ଆମକୁ ଅଧିକ ପ୍ରୟୋଗାତ୍ମକ ତଥ୍ୟ ମିଳିପାରିବ ।