ଭୁବନେଶ୍ୱର । ଭାରତୀୟ ଜନତା ପାର୍ଟୀ ପକ୍ଷରୁ ଆଜି ସୁନ୍ଦରଗଡ ବନ୍ଦ ପାଳନ କରାଯିବ । ରାଉରକେଲାଠାରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ସସ୍ମିତା ମିଞ୍ଜି ଓ ଏଏସ୍ଆଇ ଆଲିସା ଲୁଗୁନଙ୍କ ମୃତ୍ୟୁ ମାମଲାକୁ ନେଇ ଏହି ବନ୍ଦ ପାଳନ କରାଯିବ ।
ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ବୁଧବାର ଦିନ ଏ ସମ୍ପର୍କରେ କହିଥିଲେ ଯେ, ରାଉରକେଲାଠାରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ସସ୍ମିତା ମିଞ୍ଜିଙ୍କ ସନ୍ଦେହଜନକ ମୃତ୍ୟୁର କାରଣ ସ୍ପଷ୍ଟ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ୬ଫୁଟ ପାଣିରେ ଜଣେ ଆଦିବାସୀ ମହିଳାଙ୍କ ମୃତ୍ୟୁ ଓଡ଼ିଶାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ବହୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତାଙ୍କ ଉପରେ କେଉଁମାନେ ମାନସିକ ଚାପ ଦେଉଥିଲେ ? ଜିଲ୍ଲା ପ୍ରଶାସନ ସବୁ ଜାଣିଥିଲେ ସୁଦ୍ଧା କାହିଁକି ପଦକ୍ଷେପ ନେଲେ ନାହିଁ ? ସସ୍ମିତା କାହିଁକି ସରକାରୀ ବାସଭବନରେ ନରହି ହୋଟେଲରେ ରହୁଥିଲେ? ସସ୍ମିତାଙ୍କ ସୁରକ୍ଷା ଦାୟୀତ୍ୱରେ ଥିବା ପୋଲିସ ଏଏସ୍ଆଇ ଆଲିସା ଲୁଗୁନଙ୍କ ମୃତ୍ୟୁ ପଛର ରହସ୍ୟ କଣ ? ତାଙ୍କୁ ମଧ୍ୟ ହତ୍ୟା କରାଯାଇ ନାହିଁ ତ ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ବହୁ ସନ୍ଦେହ ସୃଷ୍ଟି କରିଛି । ହତ୍ୟାର ତଦନ୍ତ ଠିକ୍ଭାବେ କାହିଁକି କରାଯାଉ ନାହିଁ । ସିବିଆଇ ତଦନ୍ତ ହେଉ । ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏହି ଦାବୀ ନେଇ ସୁନ୍ଦରଗଡ ବନ୍ଦ ଡାକରା ଦିଆଯାଇଛି ବୋଲି ଶ୍ରୀ ଓରାମ କହିଥିଲେ ।