
ଭୁବନେଶ୍ଵର : ଆଗାମୀ ୬ ଘଣ୍ଟାରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାକୁ ଯାଉଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୧୩ କି.ମି. ବେଗରେ ଉତର-ପୂର୍ବ ଦିଗରେ ଅଗ୍ରସର ହେଉଛି ଏହି ଗଭୀର ଅବପାତ । ଏହା ବର୍ତମାନ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ୩୬୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହି ସମ୍ଭାବ୍ୟ ବାତ୍ୟା ଆସନ୍ତା ୨୫ ତାରିଖ ସଂନ୍ଧ୍ୟାରେ ଖେପୁପାରା ଓ ଚିତଗୋଙ୍ଗ ମଧ୍ୟରେ ବାଙ୍ଗଲାଦେଶ ଉପକୂଳ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଆଜି ସଂନ୍ଧ୍ୟା ଠାରୁ ପବନର ବେଗ ବଢି ୪୦ରୁ ୫୦ କି.ମି. ପରବର୍ତି ସମୟରେ ୫୦ରୁ ୬୦ କି.ମି. ଏବଂ ପରେ ଘଣ୍ଟା ପ୍ରତି ସର୍ବାଧିକ ୭୦ କି.ମି. ପର୍ଯ୍ୟନ୍ତ ବଢିପାରେ । ସେହିପରି ଆସନ୍ତାକାଲି ପବନର ବେଗ ୬୦ରୁ ୭୦ କି.ମି. ଏପରିକି ସ୍ଥଳ ବିଶେଷରେ ପବନର ବେଗ ଘଂଟା ପ୍ରତି ୭୦ରୁ ୮୦ କି.ମି. ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।
ବିଶେଷ ଓଡ଼ିଶା ଉପକୂଳରେ ଆଜି ସଂନ୍ଧ୍ୟା ଠାରୁ ଆସନ୍ତାକାଲି ପର୍ଯ୍ୟନ୍ତ ପବନର ବେଗ ୪୦ରୁ ୫୦ କି.ମି. ସ୍ଥଳ ବିଶେଷରେ ଏହା ୬୦ କି.ମି. ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ରହିବାର ସମ୍ଭାବନା ନାହିଁ । ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୪ ଓ ୨୫ ତାରିଖରେ ରାଜ୍ୟରେ ବର୍ଷାର ବିସ୍ତୃତି ବଢିବ । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।