ଭୁବନେଶ୍ୱର, 12 ସେପ୍ଟେମ୍ବର:- ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗରେ ବ୍ୟବସ୍ଥାକୁ ନେଇ ବର୍ଷିଛି ରାଜ୍ୟ କଂଗ୍ରେସ । ମଙ୍ଗଳବାର କଂଗ୍ରେସ ଭବନରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଛନ୍ତି ଯେ କୌଣସି ଗୋଟିଏ ହେଲେ ସରକାରୀ ବା ବେସରକାରୀ କଲେଜରେ ଅଧ୍ୟକ୍ଷ ନଥିବାବେଳେ ଆସନ୍ତାକାଲି ରାଜ୍ୟ ସରକାର ଅଧ୍ୟକ୍ଷ ସମ୍ମିଳନୀ ଡାକୁଛନ୍ତି ବୋଲି ଦମ୍ଭୋକ୍ତି କରିବା କେତେ ଦୂର ସମିଚୀନ । ରାଜ୍ୟରେ ମହାବିଦ୍ୟାଳୟ ମାନଙ୍କରେ ନାମଲେଖା କ୍ଷେତ୍ରରେ ଓଡ଼ିଶା ରାଜ୍ୟ ମାନଙ୍କ ମଧ୍ୟରେ ୨୧ ତମ ସ୍ଥାନରେ । ସର୍ବୋଚ୍ଚ ସ୍ତରରେ ମହାବିଦ୍ୟାଳୟ ମାନଙ୍କରେ ସାମଗ୍ରୀକ ନାମ ଲେଖା ଅନୁପାତ (ଜି.ଇ.ଆର) ୨୭.୩ ପ୍ରତିଶତ ଥିବାବେଳେ ଓଡ଼ିଶାରେ ତାହା ୨୦.୭ ପ୍ରତିଶତ । ଉତ୍କଳ ବିଶ୍ୱବିଦ୍ୟାଳୟ ଭାରତର ୧୦୦ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ୯୩ ତମ ସ୍ଥାନରେ ଅଛି । ନାକ୍ ଗ୍ରେଡ଼ିଙ୍ଗରେ ଏ ରୁ ଏ କୁ ଖସି ଆସିଛି ।
ବିଶ୍ୱବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ କରିବାରେ ସରକାର ବ୍ୟର୍ଥ ହୋଇଛନ୍ତି । ସରକାରୀ ତଥ୍ୟ ମୁତାବକ ୧୨ ଟି ବିଶ୍ୱବିଦ୍ୟାଳୟରେ ୫୬.୯୩ ପ୍ରତିଶତ ଶିକ୍ଷକ ପଦବୀ ଖାଲି ରହିଥିବାବେଳେ ୫୮.୧୨ ପ୍ରତିଶତ ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ନିର୍ଦ୍ଧାରିତ ଶିକ୍ଷକ ଛାତ୍ର ଅନୁପାତ ବଜାୟ ନ ରହିବା ଫଳରେ ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣା କାର୍ଯ୍ୟ ପ୍ରଭୂତ ଭାବରେ ପ୍ରଭାବିତ ହେଉଛି ।
ଶ୍ରୀ ବେହେରା ଦର୍ଶାଇଥିଲେ ଯେ କଲେଜ ମାନଙ୍କରେ ଏକାଡେମିକ୍ ଅଡ଼ିଟ୍ ହେଉନାହିଁ । ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ, ଅତିରିକ୍ତ ନିର୍ଦ୍ଦେଶକ ଓ ଆଂଚଳିକ ନିର୍ଦ୍ଦେଶକ ପଦବୀରେ କୌଣସି ପ୍ରବିଣ ଅଧ୍ୟାପକ ଓ ଅଧ୍ୟାପିକା ନିଯୁକ୍ତି ଦିଆଯାଉନାହିଁ । କୋଠାରୀ କମିଶନ ୧୯୬୪ ମସିହାରୁ ଜାତୀୟ ଶିକ୍ଷା ନିତୀ ୧୯୮୬ ମସିହା ପର୍ଯ୍ୟନ୍ତ ପ୍ରତ୍ୟେକ ସୁପାରିଶ ସତ୍ୱେ ୨ ଅନୁଷ୍ଠାନ ଗୁଡ଼ିକୁ ୩ ଅନୁଷ୍ଠାନରୁ ପୃଥକୀକରଣ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ଫଳତଃ ଉଭୟ ୨ ଏବଂ ୩ ଶିକ୍ଷାଦାନ କ୍ଷେତ୍ରରେ ଅଭାବନୀୟ ସମସ୍ୟା ସୃଷ୍ଟି ହେଉଛି ।
କଲେଜ ଅଧ୍ୟାପକ ଦୀର୍ଘଦିନ ଧରି ଆନ୍ଦୋଳନ ଚଲାଇଛନ୍ତି । ରାଜ୍ୟ ସରକାର ବ୍ଲକ ଗ୍ରାଂଟ ଶିକ୍ଷକ ମାନଙ୍କ ପାଇଁ କୌଣସି ଅବସରକାଳୀନ ସୁବିଧା କରୁନାହାନ୍ତି । ସେହିପରି ୨୦୦୮ ମସିହା ପରଠାରୁ ପ୍ରତିଷ୍ଠିତ କଲେଜ ଗୁଡ଼ିକ ସମସ୍ତ ଆବଶ୍ୟକତା ପୂରଣ କରିଥିଲେ ମଧ୍ୟ ସେମାନଙ୍କୁ ସରକାରୀ ଅନୁଦାନ ମିଳୁନାହିଁ । ଶିକ୍ଷକ ସମାଜ ପ୍ରତି ଏହାଠାରୁ ବଡ଼ ଅବିଚାର କିଛି ନାହିଁ । ଶ୍ରୀ ବେହେରା ଦାବି କରିଥିଲେ ଯେ ଗୋଟିଏ ରାଜ୍ୟ ଗୋଟିଏ ବ୍ୟବସ୍ଥା ନିତୀ ପ୍ରଣୟନ କରାଯାଉ । ଭେଦ ବିଚାରର ପୁର୍ଣ୍ଣଚ୍ଛେଦ ପଡ଼ୁ । ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଲୋକମାନଙ୍କୁ ପାଖକୁ ଯିବ ବୋଲି ସେ ଚେତାଇ ଦେଇଥିଲେ ।
ପିସିସିର ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାସ ଓ ଯୁବ ନେତା ତଥା ପିସିସି ମୁଖପାତ୍ର କୃଷ୍ଣଚନ୍ଦ୍ର ପତୀ ଉପସ୍ଥିତ ଥିଲେ ।