ସମ୍ବଲପୁର : ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନିକାନ୍ତ ସାହୁ, ଖାଦ୍ୟ ଆୟୋଗ ସଦସ୍ୟ ଅକ୍ଷୟ କୁମାର ବେହେରା, ପ୍ରେମସିଲା କେରର୍କେଟା, ଖାଦ୍ୟ ଆୟୋଗର ପରାମର୍ଶଦାତା ତମଳ ରେଜା, ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବିକ୍ରମ ମେହେର ଗତକାଲି ଧନକଉଡା ବ୍ଲକର ବିଭିନ୍ନ ଅଂଚଳ ପରିଦର୍ଶନ କରିଥିବା ବେଳେ ଆଜି ମାନେଶ୍ୱର ବ୍ଲକ୍ ଗସ୍ତ କରିଛନ୍ତି । ଗତ କାଲି ପ୍ରଥମେ ବ୍ଲକ କାର୍ଯ୍ୟାଳୟ ଠାରେ ବିଭିନ୍ନ ଅଧିକାରୀ ମାନଙ୍କ ସହିତ ବିଭାଗୀୟ କାର୍ଯ୍ୟଉପରେ ସମୀକ୍ଷା କରିଥିଲେ | ପ୍ରଥମେ ଧନକଉଡା ସେବାଶ୍ରମ, ମାଲଦାପଡା ଅଙ୍ଗନବାଡି କେନ୍ଦ୍ର, ଅଇଁଠାପାଲି ଆଶ୍ରମ ସ୍କୁଲ, ବିଶାଲଖଣ୍ଡି ପଂଚାୟତ ଅଫିସରେ ଥିବା ସରକାରୀ ସୁଲଭ ମୂଲ୍ୟ ଦୋକାନ, ଶାସନ ପଂଚାୟତ କାର୍ଯ୍ୟାଳୟରେ ଥିବା ସରକାରୀ ସୁଲଭ ମୂଲ୍ୟ ଦୋକାନ ଗସ୍ତ କରି ହିତାଧିକାରୀ ମାନଙ୍କ ସହିତ ବିଭିନ୍ନ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଏହା ସହିତ ଅଙ୍ଗନବାଡି ଏବଂ ସେବାଶ୍ରମ, ସୁଲଭ ଦୋକାନ ସଠିକ ଭାବେ ସମ୍ପାଦନ ହେଉଛି ନାହିଁ ତାହା ଉପରେ ଟିକିନିଖି ତଦାରଖ କରିଥିଲେ । ରାଜ୍ୟ ଖାଦ୍ୟ ଆୟୋଗ ଅଇଁଠାପାଲି ଆଶ୍ରମ ସ୍କୁଲର ପରିଚାଳନା ଭିତ୍ତିଭୂମି ସହିତ ପରିବେଶକୁ ଦେଖି ଖୁସି ବ୍ୟକ୍ତ କରିବା ସହିତ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଅନ୍ୟ ଶିକ୍ଷୟତ୍ରୀ, କର୍ମଚାରୀ ତଥା ଅନ୍ୟ ସମସ୍ତକୁ ପ୍ରଶଂସା କରିଥିଲେ । ଆଜିର ଏହି ପରିଦର୍ଶନରେ ଅନ୍ୟ ମାନଙ୍କ ମଧ୍ୟରେ ସଦର ଉପଜିଲ୍ଲାପାଳ ପ୍ରଭାସ ଦନସେନା, ଧନକଉଡ଼ା ବିଡିଓ ସଂଜୀବ ପଟେଲ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥି ପଟେଲ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୀତାଞ୍ଜଳି ମହାପାତ୍ର ସମେତ ବ୍ଲକ ଷ୍ଟାଫ, ଉପସ୍ଥିତ ଥିଲେ । ବିଶାଳଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟଠାରେ ଦୁଇଜଣ ହିତାଧିକାରୀଙ୍କୁ ୨ଟି ଟ୍ରାଇ-ସାଇକେଲ ବଣ୍ଟନ କରାଯାଇଛି । ରାଜ୍ୟ ଖାଦ୍ୟ କମିଶନର ମହନୀୟତା ଦେଖିବାକୁ ମିଳିଥିଲା । ଚାଲିପାରୁନଥିବା ୨ ଜଣ ହିତାଧିକାରୀଙ୍କୁ ନିଜେ ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ଟେକି ଆଣି ଟ୍ରାଇସାଇକେଲ ବସାଇବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସୂଚନା ଯେ, ରାଜ୍ୟ ଖାଦ୍ୟ ଆୟୋଗଙ୍କ ସମ୍ବଲପୁର ଜିଲ୍ଲା ଗସ୍ତର ଏହା ତୃତୀୟ ଦିନ ।