ପୁରୀ : ଆଜି ଆଶ୍ଵିନ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ଦର୍ଶନ ବନ୍ଦ ରହିବ । ଶ୍ରୀଜୀଉ ମାନଙ୍କ ଶ୍ରୀମୁଖ ଶୃଙ୍ଗାର ତଥା ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମୟରେ ଗର୍ଭଗୃହର ସମସ୍ତ ଦ୍ଵାର ବନ୍ଦ ରହିବ । ଦ୍ଵିତୀୟ ଭୋଗମଣ୍ଡପ ପରେ ଦତମହାପାତ୍ର ସେବକମାନେ ଗର୍ଭଗୃହରେ ପ୍ରବେଶ କରିବେ । ଏହାପରେ ବନକଲାଗି ଗୁପ୍ତ ନୀତି ସମାପନ ହେବ । ବନକଲାଗି ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହେବ । ମହାସ୍ନାନ ପରେ ଭକ୍ତ ମାନେ ପୁଣି ଶ୍ରୀ ବିଗ୍ରହ ମାନଙ୍କ ଦର୍ଶନ କରିପାରିବେ ।
ଏଠାରେ ଉଲ୍ଲେଖଯୋଗ୍ୟ, ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତିରେ ପ୍ରାକୃତିକ ରଙ୍ଗ ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କସ୍ତୁରୀ, କଳା, ଧଳା ଓ ନାଲି ରଙ୍ଗର ବ୍ୟବହାର ହୋଇଥାଏ ।