କୋଲକାତା : ଉତର ୨୪ ପ୍ରଗଣାରେ ଘଟିଯାଇଥିବା ବିସ୍ଫୋରଣ ମାମଲାକୁ ନେଇ କୋଲକାତା ହାଇକୋର୍ଟରେ ଦୁଇଟି ଜନସ୍ଵାର୍ଥମୂଳକ ମାମଲା ଦାୟର୍ ହୋଇଛି । ସୋମବାର ଭାଜପା ଏବଂ ସିପିଏମ ପକ୍ଷରୁ ଦାୟର୍ କରାଯାଇଥିବା ଏହି ଆବଦନ ଦୁଇଟିରେ ମାମଲାର ତଦନ୍ତ ସିବିଆଇ କିମ୍ବା ଏନଆଇଏ ଦ୍ଵାରା କରାଇବାକୁ ଅନୁରୋଧ କରାଯାଇଛି । ଏଥିସହିତ ରାଜ୍ୟ ପୋଲିସ ଠାରୁ ଏହି ମାମଲା ସ୍ଥାନାନ୍ତରଣ କରିବାକୁ କୋର୍ଟଙ୍କୁ ଅନୁରୋଧ ମଧ୍ୟ କରାଯାଇଛି ।
ବାରାସାତ ନିକଟ ଦତପୁକୁର ଥାନା ଅନ୍ତର୍ଗତ ନୀଳଗଞ୍ଜ ଚୌକ ର ନୀଳଗଞ୍ଜ ଗ୍ରାମପଂଚାୟତ ଅଧିନ ମୋଚପୋଲ ପଶ୍ଚିମପାରା ଅଂଚଳରେ ରବିବାର ସକାଳେ ଏହି ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣ ଏତେ ଜୋରଦାର୍ ଥିଲା ଯେ, ସେଠାରେ ଥିବା ଏକ ଦୁଇ ମହଲା ବିଶିଷ୍ଟ କୋଠା ଧରାଶାୟୀ ହୋଇଯାଇଥିଲା । ତୃଣମୂଳ ନେତାଙ୍କ ଘରେ ଚାଲିଥିବା ଏହି ବେଆଇନ ବାଣ କାରଖାନାରେ ଘଟିଥିବା ବିସ୍ଫୋରଣରେ ଅଦ୍ୟାବଧି ୯ ଜଣଙ୍କ ମୃତ୍ୟୁ ଘଟିଛି ।