ଭଦ୍ରକ : ଆଜି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳା କାରଣରୁ ଜଣେ ବର୍ଷିୟାନ ମହିଳାଙ୍କର ମୃତ୍ୟୁ ହେବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ପୁଲିସ୍ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ତେବେ ଏ ସଂପର୍କରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିବାର ପକ୍ଷରୁ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ନିକଟରେ ତାଙ୍କ ପୁତ୍ର ମନୋଜ ମହାନ୍ତି ଓ ସ୍ଥାନୀୟ ଅଂଚଳର ବହୁ ବାସିନ୍ଦା ଅଭିଯୋଗ କରିଛନ୍ତି । ମହିଳାଙ୍କ ପୁତ୍ରଙ୍କ ଅଭିଯୋଗ ଅନୁଯାୟୀ ଆଜି ଦିନ ୨.୩୦ ସମୟରେ ଚରମ୍ପା ଡଗରାସାହି ଅଂଚଳର ବିଜୟଲକ୍ଷ୍ମୀ ମହାନ୍ତି (୭୪) ଆଜ୍ମା ରୋଗରେ ପୀଡିତ ହୋଇ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ମାତ୍ର ସେ ସମୟରେ ବର୍ହିଃ ବିଭାଗରେ କୌଣସି ଡାକ୍ତର ନଥିାଇ ତାଙ୍କ ଚିକିତ୍ସାରେ ଅବହେଳା ହୋଇଥିବାର ଅଭିଯୋଗ ହୋଇଥିଲା । ଦୀର୍ଘ ୪୫ ମିନିଟ୍ ପରେ ଡାକ୍ତର ପହଞ୍ôଚ ତାଙ୍କର ଚିକିତ୍ସା କରି ଅକ୍ସିଜେନ୍ର ଆବଶ୍ୟକତା ପଡିବାରୁ ତାହା ଦିଆଯାଇଥିଲା । ପରେ ତାଙ୍କୁ ୩ ତାଲା ୱାର୍ଡକୁ ଏକ ଭଂଗା ଷ୍ଟ୍ରେଚର ଯୋଗେ ନିଆଯାଇଥିଲା । ତେବେ ସ୍ଥାନାନ୍ତରିତ ସମୟରେ ପୀଡିତାଙ୍କ ଦେହରୁ ଅକ୍ସିଜେନ୍ କାଢି ନିଆଯାଇଥିଲା । ଫଳରେ ସିଡିରେ ଯିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପୁତ୍ର ମନୋଜ ମହାନ୍ତି ଅତିରିକ୍ତ ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମଧ୍ୟ ଅବଗତ ଥିବାର ଜଣାପଡିଛି । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣା ସଂପର୍କରେ ଅବଗତ ହେବା ପରେ ଅତିରିକ୍ତ ଜିଲାପାଳ ଏହାର ଏକ ବିଧିବଦ୍ଧ ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇଛନ୍ତି ।