ନୂଆଦିଲ୍ଲୀ : ସେନା ଏବଂ ରାଷ୍ଟ୍ରୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନଡିଆରଏଫ) ସିକ୍କିମ ବିପର୍ଯ୍ୟୟ ପ୍ରଭାବିତ ଅଂଚଳରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର୍ କରିଛି । ବନ୍ୟାର ପ୍ରବଳ ସୁଅରେ ୧୪ଟି ସ୍ଥାନରେ ପୋଲ ଭାଙ୍ଗି ଯାଇଛି ଏବଂ ସେଠାରେ ଅସ୍ଥାୟୀ ପୋଲ ତିଆରି କରାଯାଇ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିପର୍ଯ୍ୟୟରେ ଅଦ୍ୟାବଧି ମୃତ୍ୟୁ ସଂଖ୍ୟା ୩୪ ରେ ପହଂଚିଛି । ସିକ୍କିମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏସଡିଏଏଫ) ପକ୍ଷରୁ ଏହି ସଂଖ୍ୟା ଜାରି କରାଯାଇଛି ।
ସୋମବାର ଏସଡିଏଏଫ ପକ୍ଷରୁ କୁହାଯାଇଛି ଯେ, ଏହି ବିପର୍ଯ୍ୟୟରେ ୮୭,୮୦୦୭୦ ଲୋକ ପ୍ରଭାବିତ ହୋଇଛନ୍ତି । ବର୍ତମାନ ସୁଦ୍ଧା ୩୪ ଜଣଙ୍କ ମୃତ୍ୟୁ ଘଟିଛି । ୧୦୫ ଜଣ ନିଖୋଜ ଅଛନ୍ତି । ୨୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କର ଚିକିତ୍ସା ଚାଲିଛି । ସେହିପରି ଏହି ପ୍ରଳୟଙ୍କରୀ ବନ୍ୟାରେ ୧୭୧୬ ଘର କ୍ଷତିଗ୍ରସ୍ତ ହୋଇଛି । ୧୩୮୧ କଚ୍ଚା ଘର ଓ ୧୪୧ ପକ୍କା ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏପର୍ଯ୍ୟନ୍ତ ୨୫୬୩ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଗଲାଣି । ସେମାନଙ୍କ ପାଇଁ ୨୬ଟି ରିଲିଫ୍ କ୍ୟାମ୍ପ ର ବ୍ୟବସ୍ଥା କରାଯାଇଛି । ୬୫୦୫ ଜଣ ଲୋକଙ୍କୁ ଏସବୁ ରିଲିଫ୍ କ୍ୟାମ୍ପରେ ରଖାଯାଇଛି । ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଛି । ବନ୍ୟା କାରଣରୁ ସଡ଼କ ପଥରେ କାଦୁଅ ଭରି ରହିଛି । ତେବେ ସ୍ଥିତିରେ କିଛି ମାତ୍ରାରେ ସୁଧାର ଆସିବା ପରେ ଲୋକେ ପାଦରେ ଚାଲି ଚାଲି ଘରୁ ବାହାରକୁ ବାହାରିବାକୁ ଉଦ୍ୟମ କରୁଛନ୍ତି ।