ମାଲକାନଗିରି : ଭାଇକୁ ତୀରରେ ଆକ୍ରମଣ କଲା ଭାଇ। ଜମି ବିବାଦକୁ କେନ୍ଦ୍ର କରି ନିଜ ବଡ଼ବାପା ପୁଅ ଭାଇ ତୀରରେ ଅନ୍ୟ ଜଣେ ଭାଇକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଆଦିବାସୀ ଯୁବକହେଲେ ବୋଜି ବେଟି। ସେ ଏବେ ଗୁରୁତର ଅବସ୍ଥାରେ ଏମଭି ୭୯ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ମୋଟୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି।
ମିଳିଥିବା ତଥ୍ୟ ଅନୁସାରେ, ମୋଟୁ ଥାନା ଅନ୍ତର୍ଗତ ମାଲାଭରମ୍ ପଞ୍ଚାୟତର କମାରଗୁଡା ଗ୍ରାମରେ ଆଜି ଏପରି ଅଭାବନୀୟ ଘଟଣା ଘଟିଛି। ଜମିରେ ବାଡ଼ ଦେବାକୁ କେନ୍ଦ୍ର କରି ବୋଜି ବେଟିଙ୍କ ଉପରେ ତାଙ୍କର ସମ୍ପର୍କୀୟ ଭାଇ ତୀର ମାଡ଼ କରିଥିଲା। ବୋଜିର ହାତରେ ୩ଟି ତୀର ପଶି ଯାଇଥିବା ବେଳେ ପିଠିରେ ଗୋଟିଏ ତୀର ବାଜିଛି। କାଲିମେଳାରେ ଲଗାଣ ବର୍ଷା ଯୋଗୁ ଏମଭି ୯୬ ବ୍ରିଜ ଉପରେ ବନ୍ୟା ଜଳ ପ୍ରବାହିତ ହେବାରୁ ଜାତୀୟ ରାଜପଥରେ ଯାତାୟାତ ବନ୍ଦ ହୋଇଯାଇଛି। ଏହି କାରଣରୁ ଗୁରୁତର ବୋଜିଙ୍କୁ ମାଲକାନଗିରି ମେଡିକାଲ ନେବା ସମ୍ଭବ ନହେବାରୁ ଏମଭି -୭୯ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାର ଜଣାପଡିଛି। ଏ ସମ୍ପର୍କରେ ମୋଟୁ ପୁଲିସ କମାରଗୁଡା ଗ୍ରାମକୁ ତଦନ୍ତ କରିବାକୁ ଯାଇଛି ବୋଲି ମୋଟୁ ଥାନା ଅଧିକାରୀ ସୂଚନା ଦେଇଛନ୍ତି।