ବଲାଙ୍ଗିର : ଟିଟିଲାଗଡ ବ୍ଲକ ଅଧୀନସ୍ଥ ଚାନ୍ଦୁତରା ଗ୍ରାମର ମୂଳ ନିବାସୀ ଶଶୀକାନ୍ତ ନାଏକ ଦୀର୍ଘବର୍ଷ ଧରି ଭାରତୀୟ ବାୟୁ ସେନାରେ କାର୍ଯ୍ୟ କଲାପରେ ଅବସର ନେଇ ପୂନର୍ବାର ସଇଁନ୍ତଳା ସ୍ଥିତ ଗୋଳାବାରୁଦ କାରଖାନାରେ କାର୍ଯ୍ୟକରି ଅବସର ନେଇଥିଲେ । ଅବସର ନେବା ପରେ ବଲାଙ୍ଗିର ପେଲେସ ଲାଇନ ସ୍ଥିତ ନିଜ ବାସଭବନରେ ରହୁଥିଲେ । ତାଙ୍କୁ ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘର ସଭାପତି ଭାବରେ ନିର୍ବାଚିତ କରାଯାଇଥିଲା । ସେ ସଭାପତି ଥିବା ସମୟରେ ବଲାଙ୍ଗିରର ସବୁ ଅନୁଷ୍ଠାନ ସଙ୍ଗେ ଜଡ଼ିତ ହୋଇ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୂର୍ବ ସୈନିକମାନଙ୍କୁ ମାର୍ଗଦର୍ଶନ କରାଉଥିଲେ । ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ନଥିବା ହେତୁ ସେ ସଭାପତି ପଦରୁ ଓହରି ଯାଇଥିଲେ । ପେଲେସ ଲାଇନ ସ୍ଥିତ ତାଙ୍କ ବାସଭବନରେ ରହୁଥିବା ବେଳେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ଵର ସ୍ଥିତ ଆପୋଲୋ ହସ୍ପିଟାଲକୁ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ଦେହାନ୍ତ ଘଟିଥିବା ଜଣାପଡିଛି । ଖବର ପ୍ରସାରିତ ହେବା ପରେ ସୈନିକ ସଂଘ, ତାଙ୍କ ଶୁଭେଚ୍ଛୁ ଓ ସମ୍ପର୍କୀୟଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
ବଲାଙ୍ଗିର ଜିଲ୍ଲା ସମ୍ବାଦିକ ସଂଘର ସଭାପତି ତଥା ବିସିସିଆଇର ସଦସ୍ୟ ହରିନାରାୟଣ ପୂଜାରୀଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନାଏକଙ୍କ ଦେହାନ୍ତରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ପାର୍ଥିବ ଶରୀର ଆସନ୍ତାକାଲି ପେଲେସ ଲାଇନ ସ୍ଥିତ ବାସଭବନରେ ପହଞ୍ଚିବା ପରେ ଟିଟିଲାଗଡ ରୋଡ୍ ସ୍ଥିତ ସ୍ଵର୍ଗଦ୍ଵାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସଂଘର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ ସୂଚନା ଦେଇଛନ୍ତି ।