ଧର୍ମଶାଳା : ବରୀ ଆସନରୁ ୪ ଥର ବିଧାୟକ ହୋଇଥିବା ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ତାଙ୍କ ଇସ୍ତଫା ପତ୍ର ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଯାହାକୁ ନେଇ ଯାଜପୁର ଜିଲା ସହ ବରୀ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।
ଏହା ପରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟୀରେ ସାମିଲ ହୋଇଛନ୍ତି ।
ଦେବାଶିଷ ନାୟକ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ମନ୍ତୀ ଥିଲେ । ସେ ଯାଜପୁର ଜିଲ୍ଲାର ବରୀ ବିଧାନସଭା ଆସନରୁ ଚାରିଥର ବିଧାୟକ ରହି ସାରିଛନ୍ତି । ସେ ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ।
ସୂଚନା ଥାଉକି, ଦେବାଶିଷ ନାୟକ ୨୦୦୦ରୁ ୨୦୧୯ ମସିହା ପର୍ଯ୍ୟନ୍ତ ବର ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ । ତାଙ୍କର ସଫଳତାକୁ ଦେଖି ନୀବନ ତାଙ୍କୁ ୨୦୦୪-୦୮ ପର୍ଯ୍ୟନ୍ତ ମନ୍ତ୍ରୀପଦ ଦେଇଥିଲେ । ଦେବାଶିଷ କ୍ରୀଡା ବିଭାଗ ସହିତ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଦାୟିତ୍ୱ ନେଇଥିଲେ । ତେବେ ସେ ବିଧାୟକ ଥାଇ ମଧ୍ୟ ଯୁବ ନେତା ବିଶ୍ୱ ରଂଜନ ମଲ୍ଲିକଙ୍କୁ ଚ୍ୟାଲେଞ୍ଜ କରି ପାରି ନ ଥିଲେ । ଯାହାକି ବିଶ୍ୱ ବରୀ ବ୍ଲକ ଅଧ୍ୟକ୍ଷ ପଦ ହାତେଇ ଦେବାଶିଷଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ । ଯାହାକି ଦେବାଶିଷଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଥିଲା । ତେବେ ୨୦୧୯ ମସିହା ସାଧାରଣ ନିର୍ବାଚନରେ ଦେବାଶିଷଙ୍କ ଟିକେଟ କାଟି ନବାଗତ ସୁନନ୍ଦା ଦାସଙ୍କୁ ବିଜେଡି ଟିକେଟ ଦେଇଥିଲା । ଏବଂ ବିଶ୍ୱ ବିଜେପିରେ ସାମିଲ ହୋଇ ବିଜେଡି ସୁନନ୍ଦାଙ୍କ ସହ କଡ ଟକ୍କର ଦେଇଥିଲେ । ଶେଷରେ ବିଜୟୀ ହୋଇ ସୁନନ୍ଦା ବରୀର ବିଧାୟିକା ହୋଇଥିଲେ । ପରେ ବିଶ୍ୱ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ । ୨୦୧୯ ପର ଠାରୁ ଦେବାଶିଷ ନାୟକ ଚୁପ ରହି ଆସୁଥିଲେ ।